‘ସଟ୍ ଡାଉନ୍’ ରେ ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ଅଭିଯୋଗ

ଭଦ୍ରକ, ୨୧/୬: ଭଦ୍ରକ ଭଣ୍ଡାରିପୋଖରୀ ବଜାରରେ ପ୍ଲାଷ୍ଟିକ ଅଣ୍ଡା । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଣ୍ଡା ସିଝାଇଲେ ମଧ୍ୟ ଏହା ସିଝୁ ନଥିବା ଅଭିଯୋଗ ହେଉଛି । କେଶରର ରଙ୍ଗ ଭିନ୍ନ ପ୍ରକାରର ଦେଖାଯାଉଛି । ଇଲାଷ୍ଟିକ୍ ଭଳି ଲାଗୁଛି ସିଝା ଅଣ୍ଡା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ ପଞ୍ଚାୟତର ରେବୋ ଗ୍ରାମରୁ ।

ସୂଚନାଯୋଗ୍ୟ ଯେ, ରେବୋ ଗ୍ରାମର ଶ୍ରୀକୃଷ୍ଣ ଖଣ୍ଡାଇ ସଟ୍ ଡାଉନ୍ ପୂର୍ବରୁ ଭଣ୍ଡାରିପୋଖରୀ ବଜାରରୁ କିଛି ଅଣ୍ଡା କିଣି ଘରକୁ ନେଇଥିଲେ । ତାଙ୍କ ପତ୍ନୀ ଅଣ୍ଡା ତରକାରୀ କରିବା ପାଇଁ ପ୍ରଥମେ ଅଣ୍ଡାକୁ ସିଝାଇଥିଲେ । କିନ୍ତୁ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଣ୍ଡାଗୁଡିକ ସିଝି ନଥିଲା । ଗରମପାଣିରୁ ଅଣ୍ଡାଗୁଡିକ କାଢି ଛଡାଇବା ପରେ ଅଣ୍ଡାଗୁଡିକ କୌଣସି ପ୍ଲାଷ୍ଟିକ ବସ୍ତୁ କିମ୍ବା ରବର ଭଳି ଲମ୍ବି ଯାଇଥିଲା ବୋଲି ସେ କହିଛନ୍ତି । ଏହି ଅଣ୍ଡାଗୁଡିକ ପ୍ଲାଷ୍ଟିକ ବୋଲି ଅଭିଯୋଗ ପରେ ଗାଁରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ତେବେ ଏନେଇ ବିଭାଗୀୟ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି ।