ଭୁବନେଶ୍ୱର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ରୁ ବିଜ୍ଞାନ, ୨ରୁ କଳା ଏବଂ ୩ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ । ଅଧିକାଂଶ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ଶେଷ ହେବ।
ତେବେ ମାର୍ଚ୍ଚ ୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କର ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଅଛି। ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ମାର୍ଚ୍ଚ ୨ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟର ପରୀକ୍ଷା ଆରମ୍ଭ ହେବ। ଉଭୟ କଳା ଓ ବାଣିଜ୍ୟର ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କର ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେଦିନ ସେମାନେ ଏମ୍ଆଇଏଲ୍ (ଓଡ଼ିଆ) ପରୀକ୍ଷା ଦେବେ। ୩ ତାରିଖରେ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବିଜ୍ଞାନର ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କର ଇଂରାଜୀ ପରୀକ୍ଷା ଥିବା ବେଳେ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କର ମଧ୍ୟ ଇଂରାଜୀ ପରୀକ୍ଷା ରହିଛି।
ମାର୍ଚ୍ଚରୁ ଥିଓରୀ ପରୀକ୍ଷା ହେବାକୁ ଥିବା ବେଳେ ଫେବ୍ରୁଆରୀ ମାସରେ ପ୍ରାଟିକାଲ୍ ପରୀକ୍ଷା ସହିତ ବିଭିନ୍ନ ପ୍ରୋଜେକ୍ଟ ଆଦି ଶେଷ ହେବ। ଫେବ୍ରୁଆରୀ ୧ରୁ ୧୦ ମଧ୍ୟରେ ପ୍ରାଟିକାଲ୍ ଓ ପ୍ରୋଜେକ୍ଟ ଶେଷ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।
କୋଭିଡ୍ ଗାଇଡ୍ ଲାଇନ୍ ଭିତରେ ପରୀକ୍ଷା ହେବାକୁ ଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରହିବ। ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର।
