ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୨

ପ୍ରଥମ ଦିନ ଆବେଦନ କଲେ ୮ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଥିବା ଯୁକ୍ତ୩ କଲେଜ (ଡିଗ୍ରି କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ନାମଲେଖା ପାଇଁ ଆବେଦନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସାମ୍ସ ଇ-ଆଡମିସନ୍‌ ଜରିଆରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ www.dheodisha.gov.in ଓ www.samsodisha.gov.in ୱେବସାଇଟ୍‌କୁ ଲଗ୍‌ଇନ୍‌ କରି କମନ ଆପ୍ଲିକେସନ ଫର୍ମ(ସିଏଏଫ) ପୂରଣ କରିପାରିବେ। ପ୍ରଥମ ଦିନରେ ୧୩ ହଜାର ୬୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୮ ହଜାର ୫୦୦ରୁ ଅଧିକ ଆବେଦନ କରିଛନ୍ତି। ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୮ ତାରିଖ ପୂର୍ବାହ୍ଣ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ। ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ। ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେ ସମ୍ବନ୍ଧର ତଥ୍ୟ ୱେବସାଇଟରେ ଉପଲବ୍ଧ ରହିବ। ୨୯ ସେପ୍ଟେମ୍ବରରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପର ପସନ୍ଦ କଲେଜରେ ଆବେଦନ କରିବା ପାଇଁ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ଫର୍ମପୂରଣ କରିବାକୁ ପଡ଼ିବ।