ଭୁବନେଶ୍ବର,୧୭ /୮ : ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଉନ୍ମୋଚନ କରିବେ। ଏହାପରେ ଛାତ୍ରଛାତ୍ରୀ ‘www.orissaresults.nic.in‘ ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଏ ନେଇ ଅଧିକ ସୂଚନା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ଚଳିତ ବର୍ଷ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗ ପରୀକ୍ଷା ଦେଇଛନ୍ତି। ପ୍ରତିବର୍ଷ କଳା, ଧନ୍ଦାମୂଳକ ବିଭାଗ ସହ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଉଥିଲା। ତେବେ ଏଥର ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଗୁଆ ପ୍ରକାଶ ପାଇବ। କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହରେ ବାହାରିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ମିଳିଛି।