ନୂଆଦିଲ୍ଲୀ,୧୮/୧୨ : କୃଷି ଆଇନକୁ ନେଇ ଦେଶରେ କ୍ରମାଗତ ୨୩ ଦିନ ଚାଷୀ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୃଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଦଳକୁ ଟାର୍ଗେଟ କରି ସେ କହିଛନ୍ତି ଯେ ୨୫ ବର୍ଷ ପୂର୍ବେ ହେବାକୁ ଥିବା କାର୍ଯ୍ୟ ଆଜି କରିବାକୁ ପଡିଛି। ବର୍ଷ ବର୍ଷ ଧରି ପଡି ରହିଥିବା ଚାଷୀଙ୍କ ଦାବି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କର ରାଜାନୖତିକ ପୃଷ୍ଟଭୂମି ନଷ୍ଟ ହୋଇଯାଇଛି, ସେମାନେ ଆଜି ଚାଷୀଙ୍କୁ ଭୟଭୀତ କରୁଛନ୍ତି । ସେ କହିଛନ୍ତି ଯେ ଆମେ ଚାଷୀଙ୍କୁ ଦେଢ ଗୁଣ ଏମଏସପି ଦେଇଛୁ। କଂଗ୍ରେସ ଦ୍ୱାରା ଋଣ ଛାଡ଼ ହେଉଛି ସବୁଠାରୁ ବଡ ଧୋକା । ଏହି ସୁବିଧା କଂଗ୍ରେସର ଘନିଷ୍ଠ ତଥା ସମ୍ପର୍କୀୟମାନଙ୍କୁ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ଯେ ମୋଦୀ କିପରି କୃଷି ଆଇନରେ ସଂସ୍କାର ନେଇ ଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତୁମେ ଏଥିପାଇଁ ମୋତେ ଶ୍ରେୟ ଦିଅ ନାହିଁ, ମୁଁ କେବଳ ଚାଷୀଙ୍କ ଭଳ ଚାହୁଁଚି। କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀଙ୍କୁ ଆକ୍ରମଣ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କିଛି ଆଶଙ୍କା ରହିଛି, ତେବେ ଆମେ ମୁଣ୍ଡ ନୁଆଁଇ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ।