ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନ୍ୟୁୟର୍କ,୨୫/୯: ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନ୍ୟୁୟର୍କ ସହରରେ ଅବତରଣ କଲି। ୨୫ ତାରିଖ ସନ୍ଧ୍ୟା ୬.୩୦ରେ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଭାଷଣ ଦେବି।

ନ୍ୟୂୟର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଥିବା ହୋଟେଲ୍‌ ସମ୍ମୁଖରେ ବହୁସଂଖ୍ୟକ ଭାରତୀୟ-ଆମେରିକୀୟ ସମବେତ ହୋଇ ତାଙ୍କୁ ସ୍ବାଗତ ଜଣାଇଥିଲେ। ‘ବନ୍ଦେ ମାତରଂ’ ଓ ‘ଭାରତ ମାତାକୀ ଜୟ’ ଧ୍ବନିରେ ସେ ଅଞ୍ଚଳ ମୁଖରିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ଧନ୍ୟବାଦ ୱାସିଂଟନ୍‌! ନ୍ୟୁୟର୍କ ଅଭିମୁଖେ ବାହାରିଛୁ। ଐତିହାସିକ ‘କ୍ବାଡ୍‌ ନେତାଙ୍କ ଶିଖର ସମ୍ମିଳନୀ’ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସହ ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତ ଆରମ୍ଭ କରିଛନ୍ତି।

ଏହା ବ୍ୟତିରେକେ, ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା କହିଛନ୍ତି, ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ବାଇଡେନ୍‌ ନିମନ୍ତ୍ରଣ ଗ୍ରହଣ କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପରସ୍ପର ସୁବିଧାମତେ ସମୟ ଧାର୍ଯ୍ୟ କରିବା ସହ ଯଥା ଶୀଘ୍ର ସମ୍ଭବ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଆଗମନକୁ ପ୍ରତୀକ୍ଷା କରିବା।