ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତା : କହିଲେ ପୃଥିବୀ ପାଇଁ ସମୁଦ୍ର ହେଉଛି ବେଶ ମହତ୍ତ୍ବପୂର୍ଣ୍ଣ

ନୂଆଦିଲ୍ଲୀ,୯/୮ : ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଭାରତକୁ ଚଳିତ ଥର UNSC ବୈଠକରେ ଗୁରୁ ଦାୟିତ୍ବ ମିଳିଛି । ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ବ୍ୟବସାୟ ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାତିସଂଘକୁ ଉଦବୋଧନ ଦେଇ ମୋଦି କହିଛନ୍ତି, ‘ସମୁଦ୍ର ପଥ ହେଉଛି ବାଣିଜ୍ୟ କାରବାରର ପ୍ରମୁଖ ମାଧ୍ୟମ । ସମୁଦ୍ର ପଥ ହେଉଛି ବିଶ୍ବ ବାଣିଜ୍ୟର ଲାଇଫ୍‌ ଲାଇନ୍ । ସବୁଠାରୁ ବଡ କଥା ହେଉଛି ପୃଥିବୀ ପାଇଁ ସମୁଦ୍ର ହେଉଛି ବେଶ ମହତ୍ତ୍ବପୂର୍ଣ୍ଣ । କିନ୍ତୁ ବର୍ତ୍ତମାନ ସମୁଦ୍ର ପଥରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ଅସୁରକ୍ଷିତ ହୋଇପଡିଛି ସମୁଦ୍ର ପଥ । ଯାହାକି ପ୍ରମୁଖ ଚିନ୍ତାର କାରଣ ପାଲଟିଛି ।’

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଉଦବୋଧନ ଦେଇ ମୋଦି କହିଛନ୍ତି, ସମୁଦ୍ର ସୁରକ୍ଷା ଦିଗରେ ଖୋଲାଖୋଲି ଭାବେ ଆଲୋଚନା ହେବା ଆବଶ୍ୟକ । ବର୍ତ୍ତମାନ ଆତଙ୍କବାଦୀମାନେ ସମୁଦ୍ର ପଥକୁ ଅଧିକ ବ୍ୟବହାର କରୁଛନ୍ତି । ଅନେକ ଦେଶ ମଧ୍ୟରେ ଜଳପଥ ବିବାଦ ତଥା ପାଣିପାଗ ବଦଳକୁ ନେଇ ଅଶାନ୍ତି ଦେଖାଯାଉଛି ।’

ସାମୁଦ୍ର ପଥ ଦେଇ ହେଉଥିବା ବାଣିଜ୍ୟ କାରବାରକୁ ସହଜ କରିବା ପାଇଁ କେତେ ଗୁଡିଏ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରମୁଖ ପ୍ରସ୍ତାବଗୁଡିକ ମଧ୍ୟରେ ରହିଛି, ସମୁଦ୍ର ପଥରେ ହେଉଥିବା ବୈଧ ବ୍ୟବସାୟ ବାଣିଜ୍ୟ ଉପରୁ ପ୍ରତିବନ୍ଧକ ହଟାଇବା । ଯାହାକି ବିଶ୍ବ ବାଣିଜ୍ୟ ତଥା ଅର୍ଥବ୍ୟବସ୍ଥାକୁ ବଦଳାଇବାରେ ବେଶ ଗୁରୁତ୍ବବହନ କରିବ ।

ମୋଦି ଆହୁରି ମଧ୍ୟ କହିଛନ୍ତି, ଜଳପଥ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ଅନ୍ତରାଷ୍ଟ୍ରୀୟ ଆଇନ ବଳରେ ହେବା ଆବଶ୍ୟକ । ଏହା ମାଧ୍ୟମରେ ଆମେ ବୈଶିକ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିପାରିବା । ଏହା ସହିତ ପ୍ରାକୃତିକ ଉପାଦାନଗୁଡିକର ସୁରକ୍ଷା ପାଇଁ ସମସ୍ତ ଅସୁବିଧାଗୁଡିକୁ ମିଳିମିଶି ସାମ୍ନା କରିବାକୁ କହିଛନ୍ତି ମୋଦି । ସମୁଦ୍ରରୁ ମିଳୁଥିବା ଉପାଦାନ ତଥା ସମ୍ପଦଗୁଡିକୁ ସୁରକ୍ଷିତ ରଖିବା ଦାୟିତ୍ବ ଆମର । ଏ ଦିଗରେ ସବୁ ଦେଶ ଧ୍ୟାନ ଦେବା ଆବଶ୍ୟକ । ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍‌, ଅଏଲ ପିଲ୍‌ସ ଭଳି ପ୍ରଦୂଷଣ ପଦାର୍ଥ କିଭଳି ଭାବେ ସମୁଦ୍ର ପାଣିରେ ନମିଶିବ ସେ ନେଇ ସମସ୍ତେ ଧ୍ୟାନ ଦେବା ଉଚିତ । ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିକରିବା ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବା ଉଚିତ ।ଏହା ସହିତ ଇନଫ୍ରାଷ୍ଟ୍ରକଚର୍‌, ଅବଶୋଷଣ କ୍ଷମତା ତଥା ବାଣିଜ୍ୟିକ ବିକାଶ ଉପରେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ।