ଯେଉଁମାନେ ବିହାରକୁ ‘ବିମାରୁ’ ରାଜ୍ୟରେ ପରିଣତ କରିଥିଲେ, ସେମାନଙ୍କୁ ଆସିବାକୁ ଦିଆଯିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୩ /୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ନିର୍ବାଚନୀ ଜନସଭାରେ ଉଦବୋଧନ ଦେଇଛନ୍ତି । ବିହାରର ସାସାରାମ ଠାରେ ଆୟୋଜିତ ଏହି ଜନସଭାରେ ମୋଦୀ କହିଛନ୍ତି ଯେ ଯେଉଁମାନେ ବିହାରକୁ ପଛୁଆ କରି ରଖିଥିଲେ, ଲୋକମାନେ ସେମାନଙ୍କୁ ଭୁଲିବା ଉଚିତ ନୁହେଁ।
ସେ କହିଛନ୍ତି ଯେ ୟୁପିଏ ସରକାରଙ୍କ ଅମଳରେ ବିହାରରେ ନିତିଶ କୁମାରକୁ ଠିକଭାବେ କାମ କରିବାକୁ ଦିଆଯାଉନଥିଲା । ସେହି ସମୟରେ ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହୋଇଯାଇଥିଲା ଓ ଦୁର୍ନୀତି ବଢିଯାଇଥିଲା । ଏଣୁ ବିହାରବାସୀ ଏକ ସଂକଳ୍ପ ନେବା ଉଚିତ, ଯେ ଯେଉଁମାନେ ବିହାରକୁ ‘ବିମାରୁ’ ରାଜ୍ୟରେ ପରିଣତ କରିଥିଲେ ସେମାନଙ୍କୁ କେବେ ଭରସା କରିବେ ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏନଡିଏ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେଇଛନ୍ତି । କିନ୍ତୁ ସେହି ଦଳମାନେ କ୍ଷମତାକୁ ଆସିଲେ ତାହାକୁ ପୁଣି ଲାଗୁ କରିବେ ବୋଲି କହୁଛନ୍ତି । ଏହା କହି ସେମାନେ ବିହାରକୁ ଭୋଟ ମାଗିବାକୁ ଆସିଛନ୍ତି । ଏହା କ’ଣ ବିହାର ପ୍ରତି ଏକ ଅପମାନ ନୁହେଁ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି ।