ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୨/୦୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି “ମନ କି ବାତ”ର ୧୩୧ତମ ଏପିସୋଡ୍ ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜାତୀୟ ପ୍ରସଙ୍ଗ, ସାମାଜିକ ପଦକ୍ଷେପ ଏବଂ ଦେଶ ସାରା ପ୍ରେରଣାଦାୟକ କାହାଣୀ ଉପରେ ତାଙ୍କର ଚିନ୍ତାଧାରା ସେୟାର କରନ୍ତି। ଆଜି, ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡିଶା ଚାଷୀ ହିରୋଦଙ୍କ ଚାଷ ଶୈଳୀକୁ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କୁ ତାଙ୍କର ଚାଷଶୈଳୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାପା ଶିବଶଙ୍କର ପଟେଲଙ୍କଠାରୁ ପ୍ରେରଣା ପାଇ ହିରୋଦ ଚାଷ କରୁଛନ୍ତି। ‘ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହେଉଛନ୍ତି। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ପାରମ୍ପରିକ କୃଷିକୁ ଏକ ଅତ୍ୟନ୍ତ ଲାଭଦାୟକ ଏବଂ ସ୍ଥାୟୀ ଉଦ୍ୟମରେ ପରିଣତ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ଚାଷୀ। ତାଙ୍କ ଚାଷ ପ୍ରଣାଳୀ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି। ତେଣୁ ହିରୋଦଙ୍କଠାରୁ ଚାଷଶୈଳୀ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯୁବ ଚାଷୀ ହିରୋଦ ପଟେଲ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ବାସିନ୍ଦା। ହିରୋଦ ତାଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି ପାଇଛନ୍ତି। ଆଇଟିଆଇ ପାଠପଢ଼ା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ୮ ଏକର ଜମିରେ ମାଛ, ଫଳ, ପନିପରିବା ସହ ଫୁଲ ଭଳି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି ହିରୋଦ। ଚାଷ କାମରୁ ସେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।