ଦେଶର ଅଗ୍ରଣୀ ଡାକ୍ତରମାନଙ୍କ ସହିତ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯ /୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ପ୍ରସଙ୍ଗ ଏବଂ ଟିକାକରଣ ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ସାରା ଦେଶର ଡାକ୍ତରମାନଙ୍କ ସହିତ ଆଲୋଚନା କରିଛନ୍ତି। କରୋନା ଭୂତାଣୁ ମହାମାରୀ ସମୟରେ ଦେଶ ପ୍ରତି ଅମୂଲ୍ୟ ସେବା ଯୋଗାଇ ଦେଇଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତବର୍ଷ, ଏହି ସମୟରେ, ଆମ ଡାକ୍ତରମାନଙ୍କର ପରିଶ୍ରମ ଏବଂ ଦେଶର ରଣନୀତି କାରଣରୁ ଆମେ କରୋନା ଭୂତାଣୁ ଲହରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲୁ। ବର୍ତ୍ତମାନ ଦେଶ କରୋନା ଭୂତାଣୁର ଦ୍ବିତୀୟ ଲହରୀର ସମ୍ମୁଖୀନ ହେଉଛି। ସମସ୍ତ ଡାକ୍ତର, ଆମ ଆଗଧାଡ଼ିର କର୍ମୀ ସମ୍ପୂର୍ଣ୍ଣ ଶକ୍ତି ସହିତ ମହାମାରୀର ମୁକାବିଲା କରୁଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନିକଟରେ କେନ୍ଦ୍ର ସରକାର ଜରୁରୀ ଔଷଧ, ଇଞ୍ଜେକ୍ସନ ଓ ଯଥେଷ୍ଟ ପରିମାଣର ଅକ୍ସିଜେନ ଯୋଗାଣ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କୁ ଏସବୁ ସମ୍ପର୍କରେ ଆବଶ୍ୟକ ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ବିରୋଧରେ ସବୁଠୁ ବଡ଼ ଅସ୍ତ୍ର ହେଉଛି ଟିକା। ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ନିମନ୍ତେ ଉତ୍ସାହିତ କରିବା ଲାଗି ସେ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ।

କୋଭିଡ ଚିକିତ୍ସା ଓ ନିରାକରଣ ସଂକ୍ରାନ୍ତରେ କେତେକ ଗୁଜବ ବିରୋଧରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ନିବେଦନ କରିଥିଲେ। ଏହି କଷ୍ଟକର ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଲୋକମାନଙ୍କୁ ଭୟ ଠାରୁ ଦୂରରେ ରଖାଯିବା ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏଥିପାଇଁ ଉପଯୁକ୍ତ ଚିକିତ୍ସା ସହିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ମାନସିକ ପରାମର୍ଶ ଦିଆଯିବାର ଆବଶ୍ୟକତା ରହିଛି।

ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା, ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଭାଣ୍ଡଭ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି କେ ପଲ, କ୍ୟାବିନେଟ ସଚିବ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, କେନ୍ଦ୍ର ଔଷଧ ସଚିବ, ଆଇସିଏମଆର ଡିଜି ଡା. ବଳରାମ ଭାର୍ଗବଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।