ତାମିଲନାଡୁ-ପୁଡୁଚେରୀବାସୀଙ୍କୁ ଆଜି ୭,୦୦୦ କୋଟିର ପ୍ରକଳ୍ପ ଭେଟି ‌ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୧/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଗସ୍ତରେ ତାମିଲନାଡୁ ଏବଂ ପୁଡୁଚେରୀ ଯିବେ। ସେଠାରେ ୭,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ।ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ଣ ପ୍ରାୟ ୧୧:୪୫ ସମୟରେ ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ସେଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଅପରାହ୍ନ ୩ଟାରେ, ସେ ମାଦୁରାଇରେ ୪,୪୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ଜାତୀୟ ରାଜପଥର ପ୍ରଶସ୍ତୀକରଣ ଏବଂ ତାମିଲନାଡୁରେ ଆଠଟି ପୁନଃବିକଶିତ ରେଳ ଷ୍ଟେସନର ଉଦଘାଟନ ଅନ୍ତର୍ଭୁକ୍ତ। ଆଜି ଅପରାହ୍ଣ ୪ଟାରେ ପ୍ରଧାନମନ୍ତ୍ରୀ ମୋଦୀ ତିରୁପ୍ପାରଙ୍କୁଣ୍ଡ୍ରମର ଶ୍ରୀ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିବେ। ଏଠାରେ ପାହାଡ଼ ଉପରେ ଦୀପ ଜାଳିବା ନେଇ ସମ୍ପ୍ରତି ଆଇନଗତ ବିବାଦ ଯୋଗୁଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ମାଡ୍ରାସ ହାଇକୋର୍ଟ ଭକ୍ତଙ୍କ ସପକ୍ଷରେ ରାୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମାଦୁରାଇରେ ଏକ ବିଶାଳ ଏନ୍‌ଡିଏ ରାଲିକୁ ମଧ୍ୟ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ଏବଂ ହିନ୍ଦୁ ମୁନ୍ନାନୀ ଭଳି ସଂଗଠନ ସୋମବାର ଦିନ ଗିରିଭାଲମ୍ (ପରିକ୍ରମା) ପାଇଁ ଡାକରା ଦେଇଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ଏହି ଗସ୍ତକୁ ଅଞ୍ଚଳର ବିକାଶ ଏବଂ ଆଗାମୀ ରାଜନୈତିକ ଦୃଶ୍ୟପଟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।