ଆସନ୍ତାକାଲି ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୦୭/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରାଣସୀ ଗସ୍ତ କରି ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକ ବନାରସ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚଳାଚଳ କରିବ। ବନାରସ-ଖଜୁରାହୋ ମଧ୍ୟରେ ବନ୍ଦେ ଭାରତ ସିଧାସଳଖ ସଂଯୋଗ ସ୍ଥାପନ କରିବ। ଏହାଦ୍ୱାରା ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ତୁଳନାରେ ପ୍ରାୟ ୨ ଘଣ୍ଟା ୪୦ ମିନିଟ୍ ଯାତ୍ରା ସମୟ ହ୍ରାସ ପାଇବ। ଏହି ବନ୍ଦେ ଭାରତ ଟ୍ରେନ୍‍’ ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ ଏବଂ ଖଜୁରାହୋ ସମେତ ଭାରତର ବିଭିନ୍ନ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥାନକୁ ସଂଯୋଗ କରିବ। ଲକ୍ଷ୍ନୌ-ସହାରନପୁର ରୁଟ୍‍ରେ ବନ୍ଦେ ଭାରତ ଯାତ୍ରା ସମୟକୁ ୧ ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍‍ ଲକ୍ଷ୍ନୌ, ସୀତାପୁର, ଶାହଜାହାନପୁର, ବରେଲି, ମୋରାଦାବାଦ ଏବଂ ବିଜନୌର ଯାତ୍ରୀମାନଙ୍କୁ ସୁବିଧା ଦେବ। ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଜାତୀୟ ରାଜଧାନୀ ଏବଂ ପଞ୍ଜାବର ପ୍ରମୁଖ ସହର ଫିରୋଜପୁର, ବଥିଣ୍ଡା ଏବଂ ପଟିଆଲା ମଧ୍ୟରେ ସଂଯୋଗକୁ ଦ୍ରୁତତର କରିବ। ଦକ୍ଷିଣ ଭାରତରେ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ବନ୍ଦେ ଭାରତ ଯାତ୍ରା ସମୟକୁ ୨ ଘଣ୍ଟା ହ୍ରାସ କରିବ। ଏହି ଟ୍ରେନ୍‍ ପ୍ରମୁଖ ଆଇଟି ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ।