ନୂଆଦିଲ୍ଲୀ, ୧୯/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ ବୈଷୟିକ ଶିଖର-୨୦୨୦କୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିବେ । କରୋନା ମହାମାରୀ ସମୟରେ ବିଶ୍ୱ ସ୍ତରରେ ଟେକନୋଲୋଜୀ କିଭଳି ଭାବେ ଗୁରୁଦାୟିତ୍ୱ ଗ୍ରହଣ କରିଛି, ସେ ନେଇ ସମ୍ମିଳନୀରେ ଆଲୋଚନା ହେବ ।
ସୂଚନାଯୋଗ୍ୟ, ଆଜିଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାଏହି ଶିଖର ବୈଠକରେ ୪ ହଜାର ପ୍ରତିନିଧି ଏବଂ ୨୭୦ ଜଣ ବକ୍ତା ଯୋଗ ଦେଉଥିବା ବେଳେ ୭୫ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଭାରତର ୫୦ରୁ ଊର୍ଦ୍ଧ୍ବ ବୈଷୟିକ ଷ୍ଟାର୍ଟ ଅପ୍ ୟୁରୋପୀୟ କମ୍ପାନୀଗୁଡିକ ସେମାନଙ୍କର ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରଦର୍ଶନ କରିବେ। ଏହି ଅବସରରେ କର୍ଣ୍ଣାଟକ ଓ ନେଦରଲାଣ୍ଡ ମଧ୍ୟରେ ସାଇବର୍ ନିରାପତା ଓ କୃଷି ଜ୍ଞାନକୌଶଳ ଉପରେ ଦୁଇଟି ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
କର୍ଣ୍ଣାଟକ ସରକାର ଓ କର୍ଣ୍ଣାଟକ ଇନୋଭେସନ ଆଣ୍ଡ ଟେକେନୋଲୋଜୀ ସୋସାଇଟି (କେଆଇଟିଏସ) ଦ୍ୱାରା ଆୟୋଜିତ ସମ୍ମିଳନୀରେ ସୂଚନା ଓ ପ୍ରଯୁକ୍ତିବଦ୍ୟା, ବାୟୋଟେକ୍ନୋଲୋଜୀ, ସାର୍ଟଅପ, ସଫ୍ଟୱେର ଟେକ୍ନୋଲୋଜୀ ପାର୍କ ଏବଂ ଏମଏମ ଆକ୍ଟିଭ ସ୍କି-ଟେକ କମ୍ୟୁନିକେସନକୁ ଫୋକସ କରିବ । ବେଙ୍ଗାଲୁରୁ ଟେକ ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ସୁଇସ କନଫେଡେରେସନର ଉପସଭାପତି ଗେ ପରମେଲିନ ଏବଂ ଅନ୍ୟ ଅନ୍ତର୍ଜାତୀୟ ଚେହେରାଙ୍କ ଉପସ୍ଥିତି ରହିବ ।