ନୂଆଦିଲ୍ଲୀ, ୧୪/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିଆଣା ଗସ୍ତରେ ଯାଇ ଆମ୍ବେଦକର ଜୟନ୍ତୀ ଅବସରରେ ପୂର୍ବାହ୍ନରେ ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାର ମଧ୍ୟ ସେ ଶିଳାନ୍ୟାଶ କରିବେ । ସେଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଏହା ପରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଜନସମାବେଶରେ ଉଦ୍ବୋଧନ ଦେବେ । ଯମୁନାନଗରଠାରେ ଦୀନବନ୍ଧୁ ଛୋଟୁରାମ ତାପଜ ବିଦ୍ୟୁତ୍ କେନ୍ଦ୍ରର ୮୦୦ ମେଗାୱାଟ୍ ଆଧୁନିକ ତାପଜ ବିଦ୍ୟୁତ୍ ୟୁନିଟ୍ର ଶିଳାନ୍ୟାସ କରିବେ । ପ୍ରାୟ ୮ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ୟୁନିଟ୍ ହରିଆଣାର ଶକ୍ତି ଆତ୍ମନିର୍ଭରଶୀଳତାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିପାରିବ । ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ ୧ ହଜାର ୭୦ କୋଟି ଟଙ୍କା ବ୍ୟୟରେ ୧୪ ଦଶମିକ ୪ କିଲୋମିଟର ରେୱାରି ବାଇପାସ୍ ପ୍ରକଳ୍ପର ଉଦ୍ଘାଟନ କରିବେ । ଏହାଦ୍ୱାରା ରେୱାରି ସହରରେ ଯାନବାହାନ ଚଳାଚଳ ସୁଗମ ହୋଇପାରିବ । ଦିଲ୍ଲୀ-ନା୍ରନୌଲ୍ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବା ସହ ଆଞ୍ଚଳିକ, ଅର୍ଥନୈତିକ ଏବଂ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ।