ନୂଆଦିଲ୍ଲୀ, ୨୯/୦୩ : ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ବ୍ୟାଙ୍କକ୍କୁ ୨ ଦିନିଆ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ଜୟଦୀପ ମଜୁମ୍ଦାର୍ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଥାଇଲ୍ୟାଣ୍ଡକୁ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଗସ୍ତ । ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପାଇଟୋଙ୍ଗ୍ଟାମ୍ ସିନାୱାର୍ଟାଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଏହି ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ସେ ବିମ୍ଷ୍ଟେକ୍ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଏକ ଐତିହାସିକ ଦ୍ୱିପକ୍ଷିୟ ସମ୍ପର୍କ ସହିତ ସଶକ୍ତ ସାଂସ୍କୃତିକ ଏବଂ ଧାର୍ମିକ ବନ୍ଧନ ମଧ୍ୟ ରହିଛି । ଥାଇଲ୍ୟାଣ୍ଡ ହେଉଛି ଭାରତର ସାମୁଦ୍ରିକ ପଡ଼ୋଶୀ ଦେଶ । ଆକ୍ଟ ଇଷ୍ଟ ପଲିସି, ଭାରତ- ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ ବିମ୍ଷ୍ଟେକ୍ରେ ଥାଇଲ୍ୟାଣ୍ଡ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛି ବୋଲି ମଜୁମ୍ଦାର୍ କହିଛନ୍ତି ।
