ମଦୁରାଇ ମିନାକ୍ଷୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ମଦୁରାଇ,୨/୪ : ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତ ନିର୍ବାଚନ ଅଭିଯାନରେ ମଦୁରାଇରେ ପହଞ୍ଚିଥିଲେ। ମଦୁରାଇରେ ପହଞ୍ଚିବା ପରେ ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପରିସରରେ ପହଞ୍ଚିବା ପରେ ମୋଦି ବିଧି ମୁତାବକ ପୂଜା ସାମଗ୍ରୀ କିଣିଥିଲେ ଓ ମନ୍ଦିର ପ୍ରବେଶ ଦ୍ୱାରରୁ ପୂଜା କରି ଭିତରକୁ ପ୍ରବେଶ କରିଥିଲେ।

ପ୍ରଧାନମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ଖବର ଶୁଣି ବହୁ ସଂଖ୍ୟାରେ ସମର୍ଥକ ମଧ୍ୟ ସେଠାରେ ପହଞ୍ଚିଥିଲେ। ମୋଦି ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ମୋଦି ପୁରା ପାରମ୍ପରିକ ବେଶଭୂଷାରେ ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିର ଯାଇଥିଲେ। ସେ ତାମିଲନାଡୁର ପାରମ୍ପରିକ ପରିଧାନ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରକୁ ଯାଆନ୍ତି ସେହି ରାଜ୍ୟର ପାରମ୍ପରିକ ପରିଧାନ ଧାରଣ କରିଥାନ୍ତି। ମିନାକ୍ଷୀ ସୁନ୍ଦରଶ୍ବର ମନ୍ଦିରରେ ପୂଜା କରିବା ସମୟରେ ମୋଦି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରିଥିବା ନଜର ଆସିଥିଲେ। ସେ ମନ୍ଦିରର ପୁରାତନ କଥା ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ମଦୁରାଇର ଏକ ଜନସଭାକୁ ସମ୍ବୋଧିତ କରିବେ। ଏଥିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲ୍ବମଙ୍କ ସମେତ ଅନ୍ୟ ନେତା ମଧ୍ୟ ଉପସ୍ଥିତ ରହିବେ।