ନୂଆଦିଲ୍ଲୀ,୨୮/୫: ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରର ବାତ୍ୟା ୟସ ସହାୟତା ନେଇ ଘୋଷଣା କରାଯାଇଛି। ବାତ୍ୟା ପାଇଁ ମୋଟ ୧୦୦୦କୋଟିର ସହାୟତା ଘୋଷଣା କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବାବେଳେ ବାକି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ବାତ୍ୟା ୟସରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି। ଅପରପକ୍ଷରେ କ୍ଷୟକ୍ଷତି ଆକଳନ ଲାଗି କେନ୍ଦ୍ରୀୟ ଟିମ ଆସିବ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆନ୍ତଃମନ୍ତ୍ରାଳୟ ଟିମ ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବାତ୍ୟା ୟସ୍ରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ବାଲେଶ୍ୱର ଓ ଭଦ୍ରକ ଜିଲା ବେଶି ପ୍ରଭାବିତ ହୋଇଥିଲା। ଆଜି କ୍ଷୟକ୍ଷତି ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିଥିଲେ। ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ୍ ମହାନିର୍ଦେଶକ ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।