ଗୁଜୁରାଟ,୨୦/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ସୋମନାଥ ମନ୍ଦିରରେ ନୂତନ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୋମନାଥ ‘ସମୁଦ୍ର ଦର୍ଶନ’ ପଦଯାତ୍ରା, ସୋମନାଥ ପ୍ରଦର୍ଶନୀ କେନ୍ଦ୍ରର ଉଦଘାଟନ କରିଥିଲେ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅହିଲ୍ୟାବାଈ ହୋଲକର ମନ୍ଦିରର ନବୀକରଣ କରିଥିଲେ। ଶ୍ରୀ ପାର୍ବତୀ ମନ୍ଦିରର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। ପାର୍ବତୀ ମନ୍ଦିର ଧଳା ମାର୍ବଲ ପଥରରେ ନିର୍ମିତ ହେବ ଏବଂ ଏହାର ଉଚ୍ଚତା ୭୧ ଫୁଟ ହେବ ।
ପିଏମ ମୋଦୀ କହିଛନ୍ତି ଯେ ଶ୍ରାବଣ ମାସରେ ଏକ ବଡ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କ ଦ୍ୱାରା ବିଶ୍ୱାସକୁ କ୍ଷୁର୍ଣ୍ଣ କରାଯାଇ ପାରିବ ନାହିଁ, ସୋମନାଥ ମନ୍ଦିର ହେଉଛି ଆମର ବିଶ୍ୱାସର ପ୍ରେରଣାସ୍ଥଳ ସ୍ଥାନ । ସେ କହିଛନ୍ତି ଯେ ସୋମନାଥ ମନ୍ଦିରର ଅସ୍ତିତ୍ୱକୁ ଲୋପ ପାଇଁ ଅନେକ ଚେଷ୍ଟା କରାଯାଇଥିଲା, ମନ୍ଦିର ଯେତେଥର ଭାଙ୍ଗିଗଲା ସେତିକି ସୁଦୃଢ ହେଲା । ଆତଙ୍କ ଦୀର୍ଘ ସମୟ ଧରି ମାନବିକତାକୁ ନିମ୍ନଗାମୀ କରିପାରିବ ନାହିଁ । ଆତଙ୍କୀର ଅସ୍ତିତ୍ୱ ସ୍ଥାୟୀ ହୋଇରହି ପାରିବ ନାହିଁ । ସୋମନାଥ ମନ୍ଦିର ସମୃଦ୍ଧ ଭାରତର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ମୌଳିକ ଆତ୍ମା ହେଉଛି ସାବକା ସାଥ, ସାବକା ବିକାଶ ।

ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟକୁ ନେଇ ନିଜର ଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ସୋମନାଥ ମନ୍ଦିରକୁ ମହାନତା ଦେବାର କାମ ଚାଲିଛି । ଧାର୍ମିକ ପର୍ଯ୍ୟଟନରୁ ଦେଶର ଆୟ ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ମତ ବ୍ୟକ୍ତ କରିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ ମଧ୍ୟ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଭାବରେ ସୋମନାଥ ମନ୍ଦିରର ବିକାଶ ଆରମ୍ଭ କରିଛନ୍ତି, ଆଜି ଲୋକମାନେ ଅନଲାଇନ୍ ମାଧ୍ୟମରେ ଏହି ମନ୍ଦିର ପରିଦର୍ଶନ କରୁଛନ୍ତି । ଶାହା କହିଛନ୍ତି ଯେ ଏହି ମନ୍ଦିରକୁ ଅନେକ ଥର ଆକ୍ରମଣ କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ଏହି ମନ୍ଦିର ପୁଣି ଦଣ୍ଡାୟମାନ ହୋଇଥିଲା।