କଳକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତା ବ୍ରିଗେଡ୍ ଗ୍ରାଉଣ୍ଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ କୋଲକାତାରେ ପ୍ରଥମ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗ ନେଇ ମମତା ଦିଦିଙ୍କ ଉପରେ ବର୍ଷିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବଙ୍ଗଳା ଉନ୍ନତି, ଶାନ୍ତି ଏବଂ ପ୍ରଗତି ଚାହୁଁଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ମମତା ଦିଦି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବକମାନଙ୍କୁ ସ୍ୱପ୍ନ ଦେଖାଇଥିଲେ, ବିକାଶର ପ୍ରତିଶୃତି ଦେଇଥିଲେ, ଇତିହାସ ବିଷୟରେ କହିଥିଲେ ଏବଂ ବିରୋଧୀଙ୍କୁ ଘୋର ସମାଲୋଚନା କରିଥିଲେ। କିନ୍ତୁ ଆଜି ସବୁ ବ୍ୟର୍ଥ ହୋଇଛି।
ପ୍ରଧାନମନ୍ତ୍ରୀ ଏହି ସମାବେଶରେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବା ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଛନ୍ତି ଯେ ମୋର ରାଜନୈତିକ ଜୀବନରେ ଶହ ଶହ ସମାବେଶକୁ ସମ୍ବୋଧିତ କରିବାର ସୁଯୋଗ ପାଇଛି, କିନ୍ତୁ ଏତେ ଦିନର କାର୍ଯ୍ୟକାଳ ମଧ୍ୟରେ କେବେ ଏତେ ବିଶାଳ ଜନ ସମୂହଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ଏପରି ଦୃଶ୍ୟ ଆଜି ମୋତେ ଦେଖିବାକୁ ମିଳିଛି।
ମୋଦୀ କହିଛନ୍ତି, ମୁଁ ନିଶ୍ଚିତ କରିବାକୁ ଆସିଛି ଯେ ଏଠାରେ ଥିବା ଯୁବକମାନଙ୍କ ପାଇଁ, କୃଷକ, ଉଦ୍ୟୋଗୀ, ଭଉଣୀ ଏବଂ ଝିଅମାନଙ୍କ ବିକାଶ ପାଇଁ ଆମେ ଦିନରାତି ୨୪ ଘଣ୍ଟା ପରିଶ୍ରମ କରିବୁ। ପରିଶ୍ରମ କରିବାରେ କୌଣସି ଅଭାବ ରହିବ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ପ୍ରତି କ୍ଷଣ ଆପଣଙ୍କମାନଙ୍କ ପାଇଁ ଜିଇଁବୁ । ଆମେ ପ୍ରତି ସେକେଣ୍ଡରେ ଆପଣମାନଙ୍କ ସ୍ୱପ୍ନ ପାଇଁ ବଞ୍ଚିବୁ। ମୁଁ ଏହି ବିଶ୍ଵାସ ଦେବା ପାଇଁ ଆସିଛି। ”