ନୂଆଦିଲ୍ଲୀ, ୦୫/୦୪ : ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦକ୍ଷିଣ ପଶ୍ଚିମବଙ୍ଗରୁ ଫୁଙ୍କିବେ ନିର୍ବାଚନ ବିଗୁଲ । କୁଚବିହାରରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । କୁଚବିହାରର ଐତିହାସିକ ରାସ ମେଳା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାକୁ ସମ୍ୱୋଧନ କରିବେ । ରାଲିରେ ସାମିଲ ହୋଇ ବିଜେପିର ବିକଶିତ ପଶ୍ଚିମବଙ୍ଗ ଯୋଜନାର କଥା କହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାଛଡ଼ା ପଶ୍ଚିମବଙ୍ଗ ବିଜେପି ଜାରି କରିଥିବା ତୃଣମୂଳ କଂଗ୍ରେସ ସରକାର ବିରୋଧରେ ଲୋକଙ୍କ ଚାର୍ଜସିଟକୁ ଆହୁରି ପ୍ରଭାବୀ ଢଙ୍ଗରେ ଲୋକଙ୍କ ନିକଟରେ ଉପସ୍ଥାପନ କରିବେ । ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତି, ଦୁର୍ନୀତିକୁ ନେଇ ମମତା ସରକାରଙ୍କ ଟାର୍ଗେଟ କରି କ୍ଷମତା ପରିବର୍ତ୍ତନ ପାଇଁ ଭୋଟରଙ୍କୁ ଅପିଲ କରିବେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ନୂଆ ଉତ୍ସାହ ଆଣି ଦେଇଛି । ଏବେଠୁ କୁଚବିହାରକୁ ହଜାର ହଜାର କର୍ମୀଙ୍କ ଲମ୍ୱାଧାଡ଼ି ଲମ୍ୱିବାକୁ ଲାଗିଲାଣି । ସାଧାରଣ ଲୋକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଆସୁଛନ୍ତି । ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ୨୯୪ ବିଧାନସଭା ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେପି ୨୯୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ।