ନୂଆଦିଲ୍ଲୀ,୫/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖ ଦିନ ଜାତିସଂଘ ନିରାପତ୍ତା ପରିଷଦର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ବିତର୍କରେ ଅଧ୍ୟକ୍ଷତା କରିବେ। ଏଥିପାଇଁ ବିଷୟ ରହିଛି, “ସାମୁଦ୍ରିକ ନିରାପତ୍ତା ବୃଦ୍ଧି ପାଇଁ ଅନ୍ତର୍ଜାତୀୟ ସହଯୋଗ”। ଭାରତର ଜଣେ ପ୍ରଧାନମନ୍ତ୍ରୀ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ପ୍ରଥମ ଘଟଣା। ଅଗଷ୍ଟ ମାସ ପାଇଁ ଭାରତ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦେବ ବୋଲି କହିଥିଲା। ସେହି ବିଷୟଗୁଡ଼ିକ ହେଲା – ସାମୁଦ୍ରିକ ନିରାପତ୍ତା, ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ଓ ସନ୍ତ୍ରାସବାଦ ଦମନ। ପ୍ରଥମେ ସାମୁଦ୍ରିକ ନିରାପତ୍ତା ବିଷୟ ଉପରେ ଭାରତ ଏହି ବିତର୍କ ଆୟୋଜନ କରିଛି।