ବନ୍ଧା ହେଲେ ପୋଲିସ ବାବୁ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଉଦ୍ୟମ

ସମ୍ବଲପୁର,୧୮/୪: ପତ୍ନୀଙ୍କୁ ଆକ୍ରମଣ କଲେ ପୋଲିସ ବାବୁ । ମାଡ ମଧ୍ୟ ମାରିଲେ । ହତ୍ୟା ଉଦ୍ୟମ ମଧ୍ୟ କଲେ । ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲାର ଜଣେ ପୋଲିସ ବାବୁଙ୍କ ବିରୋଧରେ । ଦୁଇ ଦିନ ତଳେ ରିଜର୍ଭ ପୋଲିସ୍‌ ଲାଇନ୍‌ର ଜଣେ କନେଷ୍ଟବଳ ସ୍ତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଘଟଣା ମନରୁ ନଲିଭଣୁ ପୁଣି ଜଣେ କନେଷ୍ଟବଳ ନିଜ ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଘଟିଛି ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ(୨୦) ଗୁରୁତର ଆହତ ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ପାଇବା ପରେ ମହିଳା ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ତଥା ଝାରସୁଗୁଡ଼ାରେ ଏପିଆର୍‌ କନେଷ୍ଟବଳ ଭାବେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଝାରମୁଣ୍ଡାର ଅଲେଖ ରୋହୀଦାସ(୨୯) ବିରୋଧରେ ଏକ ମାମଲା ରୁଜୁ କରି ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ସେପଟେ, ଅଲେଖ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିବା ପାଇଁ ଝାରସୁଗୁଡ଼ା ଏସ୍‌ପିଙ୍କୁ ଅବଗତ କରାଯାଇଥିବା ନେଇ ମହିଳା ଥାନା ପକ୍ଷରୁ କୁହାଯାଇଛି ।

ଅଭିଯୋଗ ଅନୁସାରେ, ଅଲେଖ ପୂର୍ବରୁ ବିବାହିତ ଥିବା ବେଳେ ବର୍ଷକ ତଳେ ସେ ଏହି ଘଟଣା ସମ୍ପର୍କରେ ଲୁଚାଇ ବରେଇପାଲିର ଏହି ମହିଳାଙ୍କୁ ବିବାହ କରିଥିଲେ । ତାଙ୍କୁ ଘରକୁ ନେବା ପରେ ତାଙ୍କ ପରିବାର ଲୋକେ ଓ ପ୍ରଥମ ସ୍ତ୍ରୀ ମିଶି ନିତିଦିନ ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ ଝାରସୁଗୁଡ଼ାସ୍ଥିତ ଶ୍ୱଶୂରଘରୁ ବରେଇପାଲିସ୍ଥିତ ନିଜ ଘରକୁ ଚାଲିଆସିଥିଲେ । ତେବେ ଶୁକ୍ରବାର ଅପରାହ୍ଣରେ ହଠାତ୍‌ ଅଲେଖ ପୁଣିଥରେ ବରେଇପାଲିରେ ପହଞ୍ଚି ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାର୍‌ପିଟ୍‌ ଆରମ୍ଭ କରିଥିଲେ । ସେ ପାଟି କରିଥିଲେ ମଧ୍ୟ ଅଲେଖ ଛାଡ଼ିନଥିଲା । ବରଂ ପଡ଼ିଥିବା ଏକ କାଠ ଫାଳିଆରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଦୁଆରରେ ପାଣି ଟ୍ୟାପ୍‌ ପାଇଁ ଥିବା ଏକ ପଥରରେ ମୁଣ୍ଡକୁ ଛେଚି ହତ୍ୟା ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ପୁଲିସ୍‌କୂ ସୂଚନା ଦେଇଥିଲେ ।