ଭୁବନେଶ୍ୱର, ୨୩/୦୩ : ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। WhatsApp ଜରିଆରେ ଜୟଦେବ ଜେନାଙ୍କୁ ହତ୍ୟା ଧମକ ମିଳିଥିଲା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଭୁବନେଶ୍ୱର ଆସିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ। ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ। ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ। ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଗତ ୯ ତାରିଖରେ ଏତଲା ଦେଇଥିଲେ। ଅଭିଯୋଗ ପରେ କେନ୍ଦୁଝର ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଧମକ ଦେଇଥିବା ଯୁବକକୁ ଚିହ୍ନଟ କରାଯିବା ସହ ଗତକାଲି ରାତିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁ ଗ୍ରାମରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ରାକେଶ ନଟିଆ ଓ ହରମୋହନ ବାରିକ ବୋଲି ଜଣାପଡିଛି।