ପୁଲିସ ଗାଡ଼ି ଧକ୍କାରେ ଜିଆରଏସଙ୍କ ମୃତ୍ୟୁ, ମଦ ପିଇ ଗାଡି ଚଲାଉଥିଲେ ପୋଲିସ ଡ୍ରାଇଭର !

ମାଲକାନଗିରି, ୮/୯ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପୁଲିସ ଗାଡ଼ି ଧକ୍କାରେ ଜଣେ ଜିଆରଏସଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନାନୁସାରେ, ମଙ୍ଗଳବାର ମାଥିଲି ଥାନାର କିଛି ପୋଲିସ କର୍ମଚାରୀ ମଦ୍ୟପାନ କରି ଏକ ବୋଲେରୋ ଗାଡିରେ ଆସୁଥିଲେ । ସେହି ସମୟରେ ବୋଲେରୋଟି ସାମନାରୁ ଆସୁଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ବାଇକ ଆରୋହୀ ପ୍ରାୟ ୩୦ ଫୁଟ୍ ଉପରକୁ ଯାଇ ତଳେ କଚାଡ଼ି ହୋଇପଡ଼ିଥିଲେ। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ଆହତଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନାଏକଗୁଡା ଗ୍ରାମର କାର୍ଯ୍ୟରତ ଜିଆରଏସ ବାଲରାଜୁ ସାହୁ । ଘଟଣା ସ୍ଥଳରେ ବୋଲେରୋଟି ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । ମାଥିଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।