ଭୁବନେଶ୍ୱର, ୧୭/୧୧ : ଡିସେମ୍ବର ୧ରୁ ପୋଲିସକୁ ଗାଡ଼ି ଚେକିଂ ପାଇଁ ଅଖଣ୍ଡ କ୍ଷମତା । ଏହି କ୍ଷମତା ବଳରେ ପୋଲିସ ବାହିନୀ ପୂର୍ବାପେକ୍ଷା କ୍ଷମତାଶାଳୀ ଓ ଅର୍ଥଶାଳୀ ହେବ । ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ପୋଲିସ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇ ପାରିବ । ଯାହାକି ବିଶେଷ ଭାବେ ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୋଲିସକୁ ହସ୍ତାନ୍ତର କରାଯାଉ ଥିବାରୁ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ । ପୋଲିସକୁ ଗାଡ଼ି ଯାଞ୍ଚ କ୍ଷମତାକୁ ବିରୋଧ କରି ଆସିଥିବା ବସ ମାଲିକ ଓ ଅନ୍ୟ ଗାଡ଼ି ମାଲିକ ସଂଘ ଖୁବ ଶୀଘ୍ର ଜରୁରୀ ବୈଠକ ଡାକିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ସରକାର ଓ ଗାଡ଼ି ମାଲିକ ସଂଘ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।