ଭୁବନେଶ୍ୱର : ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଚୋରା ଅଙ୍ଗତଷ୍କରୀର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ବିଜେପି ମୁଳରୁ ଦାବୀ କରି ଆସୁଛି । ମନ୍ତ୍ରୀ ପଦରେ ଥାଇ ଅରୁଣ ସାହୁ ତଦନ୍ତ ପ୍ରକ୍ରିୟାକୁ ବାଟମାରଣା କରିବାର ଆଶଙ୍କା ଥିବାରୁ ବିଧାନସଭା ଭିତରେ ଓ ବାହାରେ ବିଜେପି ଦାବୀ କରିଆସୁଛି । ଅନ୍ୟ ପଟେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ଜଜ୍ଙ୍କ ତତ୍ୱାବଧାନରେ ଏସଆଇଟି ଗଠନ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବେ ବୋଲି କହିଥିଲେ । ମାତ୍ର ରାଜ୍ୟସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ଟିମ୍ ନା କୈାଣସି ହାଇକୋର୍ଟ ଜଜ୍ଙ୍କ ଦ୍ୱାରା ତତ୍ୱବଧାନରେ ହେଉଛି ନା ରାଜ୍ୟ ସରକାର ଏ ସଂପର୍କରେ କୈାଣସି ମନ୍ତବ୍ୟ ଦେଇଛନ୍ତି। ସେହିପରି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବର୍ତମାନ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ହୋଇଥିବା କାରଣରୁ ତାଙ୍କ ଯୋଗ୍ୟତା ଉପରେ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଜୋର ଜବରଦସ୍ତ ଭାବେ ଏସଆଇଟିକୁ କୋର୍ଟ ମନିଟରିଂ ବୋଲି କହି କେବଳ ମିଛ କହୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ପରୀର କପଡାରୁ ଡିଏନଏ ପରୀକ୍ଷା ଜରିଆରେ ଯଦି ହତ୍ୟାକାରୀକୁ ଗିରଫ କରିବାରେ ଏସଆଇଟି ଟିମ୍ ସଫଳ ହେଲା, ତାହେଲେ ଦୀର୍ଘ ୫ ମାସରୁ ଉର୍ଦ୍ଧ ଧରି ନୟାଗଡ ଜିଲ୍ଲା ପୋଲିସ, ଜିଲ୍ଲା ଏସପି ପ୍ରତ୍ୟୁଷ ଦିବାକର କାହିଁକି ବାହାର କରିପାରିଲେ ନାହିଁ ? ଏସଆଇଟି ମୁଖ୍ୟ ଯୁବକକୁ ଟଙ୍କା ଲାଂଚ ଦେବା କଥା ଆସିବା ପରେ ଏସଆଇଟିର ମୁଖ୍ୟଙ୍କ ତଦନ୍ତ ପାଇଁ କୌଣସି ନୈତିକତା ନାହିଁ। ଯଦି ପୋଲିସ୍ କୌଣସି କାମ କରୁନି ଏବଂ ଏସଆଇଟି ଆସି ଦଶ ଦିନ ମଧ୍ୟରେ ସମସ୍ତ ତଥ୍ୟ ଦେଇଦେଲା, ତେବେ ନୟାଗଡ ଜିଲ୍ଲାର ସ୍ଥାନୀୟ ପୋଲିସ୍ ପଦାଧିକାରୀ ଓ ଏସପିଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଏସଆଇଟି ପ୍ରସଙ୍ଗରେ ମିଥ୍ୟା ତଥ୍ୟ ଉପସ୍ଥାପନା କରିଥିବା ପୋଲିସ ଡିଜି ମଧ୍ୟ ଇସ୍ତଫା ଦେବା ଉଚିତ୍ ବୋଲି ଡ. ସାମନ୍ତସିଂହାର କହିଛନ୍ତି।
ଗତକାଲି ପୋଲିସ ଡିଜି ପରୀ ହତ୍ୟାକାଣ୍ଡ ତଦନ୍ତ କରୁଥିବା ଏସଆଇଟି କୋର୍ଟ ମନିଟର ବୋଲି କହିଛନ୍ତି। ମାତ୍ର ଏହା ସଂପୂର୍ଣ୍ଣ ମିଥ୍ୟା। ବନ୍ଦ ଲପାଫାରେ ସିଲ୍ ହୋଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କିଭଳି ସର୍ବସାଧାରଣ ହୋଇଛି ? ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ତଥା ମୁଖ୍ୟ ଅଭିଯୁକ୍ତ ବୋଲାଓଥିବା ବାବୁଲା ନାୟକକୁ ଘଂଟ ଘୋଡାଇବା ଓ ସୁରକ୍ଷା ଦେବା ପାଇଁ ପୋଲିସ ବିଭାଗକୁ ବ୍ୟବହାର କରାଯାଉଛି। ପୋଲିସ ଡିଜି ଶାସକ ଦଳର ମୁଖପାତ୍ର ସାଜି ମୁଖ୍ୟ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବାର ପ୍ରୟାସ କରୁଛନ୍ତି। ନହେଲେ ଏଭଳି ଅସତ୍ୟ ପ୍ରେସ୍ ରିଲିଜ୍ କେବେ କେହି ଦିଏ ନାହିଁ ବୋଲି ଡ. ସାମନ୍ତସିଂହାର କହିଛନ୍ତି।