ଭୁବନେଶ୍ୱର, ୧୨/୦୯ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଏବଂ ଅପରାଧ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବିଶେଷକରି ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ଼ କରାଯିବ, ସେନେଇ ମଧ୍ୟ ଆଲୋଚନା ହୋଇଛି। ସମୀକ୍ଷା ବୈଠକରେ ଡିଜିପିଙ୍କ ସହ ଏଡିଜି (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏବଂ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ। ତିନି ଜିଲ୍ଲାର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିଚାଳନା ଏବଂ ପାର୍ବଣ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ DGP ବିସ୍ତୃତ ସମୀକ୍ଷା କରିଛନ୍ତି।