ଯାଜପୁର,୪/୧୨ : ଯାଜପୁର ଅଳକୁଣ୍ଡ ଥାନାରେ ଚାର୍ଜସିଟ୍ ରିପୋର୍ଟକୁ ନେଇ ଆଇଆଇସି ଏବଂ ଏଏସ୍ଆଇଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି। ଥାନାରେ ଉଭୟଙ୍କ ହାତାହାତି ସମୟର ଭିଡିଓ ପଦାକୁ ଆସିଛି। ତେବେ ଏହି ଘଟଣାର ତଦନ୍ତ ପରେ ଯାଜପୁର ଏସ୍ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଭୟଙ୍କୁ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ ଏସ୍ଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ ।
ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ଏଏସ୍ଆଇ ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଯାଜପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ ଅଳକୁଣ୍ଡ ଥାନାରେ ପହଞ୍ଚି ଥାନାର ସିସିଟିଭି ଚେକ କରିଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି । ଉଭୟ ଆଇଆଇସି ଓ ଏଏସଆଇଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରି ତଦନ୍ତ ଜାରି ରଖିଛନ୍ତି ।