ଏସିପି ଜୋନ -୪ ଓ ଲକ୍ଷ୍ମୀସାଗର ଥାନା ଟେଲିଫୋନ ଅଚଳ, ଦାୟୀ କିଏ ?

ଭୁବନେଶ୍ୱର,୧୨ /୬ : (ପ୍ରଦୀପ୍ତ କୁମାର ଦାସ) – ସମ୍ପ୍ରତି କରୋନା ମହାମାରୀ ଓ ଲକଡାଉନ ପରିପ୍ରେକ୍ଷୀରେ ଲୋକଙ୍କୁ ଉତ୍ତମ ମାନର ଜରୁରୀ ପୋଲିସ ସେବା ଯୋଗାଇଦେବା କ୍ଷେତ୍ରରେ ବିଭାଗୀୟ ଜୋନ ଓ ଥାନା ଟେଲିଫୋନ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜନସାଧାରଣ ଓ ପୋଲିସ ମଧ୍ୟରେ ସିଧା ସଳଖ ଯୋଗାଯୋଗ ସୂତ୍ର ରକ୍ଷା ବ୍ୟବସ୍ଥାରେ ଏସବୁ ଫୋନ ଗୁଡିକର କାର୍ଯ୍ୟକାରିତା ନିହାତି ଆବଶ୍ୟକ ଅଟେ । ତେବେ କମିସନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାର ଏସିପି ଜୋନ ୪ ଙ୍କ ଅଫିସ ଟେଲିଫୋନ ନଂ ୦୬୭୪ -୨୫୭୩୩୭୯ ଓ ଏହାର ଅଧୀନରେ ଥିବା ଲକ୍ଷ୍ମୀସାଗର ଥାନାର ଟେଲିଫୋନ ନଂ ୦୬୭୪-୨୫୭୧୦୯୯ ଦୀର୍ଘ ଦିନ ହେଲା ଅଚଳ ରହିବା ଘଟଣା ନେଇ ଏବେ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।ଏବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟ ଓ କମିସନରେଟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଭଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦେଶକ୍ରମେ ଏସବୁ ଫୋନ ମାଧ୍ୟମରେ ଲୋକେ କିପରି ଅତି ସୁବିଧାରେ ଦିବାରାତ୍ର ନିଜ ଘରେ ରହି ସେମାନଙ୍କର ଆବଶ୍ୟକ ମତେ ଭଲଭାବେ ପୋଲିସ ସେବା ପାଇପାରିବେ ତା ଉପରେ ଫୋକସ ଦେଇଛନ୍ତି । ମାତ୍ର ବିଡମ୍ବନାର କଥାଯେ ଉକ୍ତ ଫୋନ ଗୁଡିକର କାର୍ଯ୍ୟ କ୍ଷମତାରେ କିଛି ତ୍ରୁଟି ଜନିତ ସମସ୍ୟା ଦେଖାଦେଲେ ଏହାର ସେବାପ୍ରଦାନକାରୀ ସଂସ୍ଥା ବିଏସଏନଏଲରେ ସେଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠାନିକ ଭାବେ ଅଭିଯୋଗ ପଂଜିକୃତ କରାଯିବାକଥା, ମାତ୍ର ତାହା ସଠିକଭାବେ ପାଳନ କରାଯାଇନଥିବାରୁ ଏପରି ସମସ୍ୟା ଦେଖାଦେଇଛି ବୋଲି କୁହାଯାଉଛି । ଫଳରେ ଲୋକେ ଏହି ଜରୁରୀ ପୋଲିସ ସେବା ପାଇବାରେ ଦୀର୍ଘ ଦିନ ହେଲା ବଞ୍ଚିତ ହେଉଛନ୍ତି ।

 

ତେବେ ଉପରୋକ୍ତ ଦୁଇଟି ଯାକ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରଥମ କର୍ତୃପକ୍ଷ ଏସିପି ଜୋନ ୪ ଏବଂ ଲକ୍ଷ୍ମୀସାଗର ଥାନାର ଇନ୍ସପେକ୍ଟର ଉଭୟେ ଉକ୍ତ ଟେଲିଫୋନ ଗୁଡିକ ଦୀର୍ଘ ଦିନ ଧରି ଅଚଳ ହୋଇ ରହିବା ସ୍ଵତ୍ବେ କେଉଁ ଅଦୃଶ୍ୟ କାରଣରୁ ଅବହେଳା କରି ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦିଗରେ ଉଚିତ ପଦକ୍ଷେପ ନନେଇ କାହିଁକି ଚୁପ ହୋଇ ବସି ରହିଛନ୍ତି ଓ ସେଥିପାଇଁ ଦାୟୀ କିଏ ବୋଲି ସେନେଇ ଏବେ ସାଧାରଣରେ ବେଶ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି କ୍ରମରେ ବିଏସଏନଏଲର ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ବୈଷୟିକ ଅଧିକାରୀଙ୍କୁ ପଚାରିବାରେ ସେ ଉକ୍ତ ଦୁଈ କାର୍ଯ୍ୟାଳୟ ପକ୍ଷରୁ ଦୀର୍ଘଦିନ ଧରି ଏଯାବତ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ଅମପାଖରେ ପଂଜିକୃତ ହୋଇନାହିଁ ବୋଲି କହିଥିଲେ । ଅପର ପକ୍ଷରେ ଏସମ୍ପର୍କରେ ପ୍ରତିକ୍ରିୟା ଜାଣିବା ପାଇଁ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓମ ପ୍ରକାଶ ମହାନ୍ତିଙ୍କ ମୋବାଇଲ, ଥାନା ଆଇଆଇସିଙ୍କ ସିୟୁଜୀ ନମ୍ବର ସହ ଏକାଧିକବାର ଯୋଗାଯୋଗ କରାଯାଇଥିଲେହେଁ ସେ କଲ ରିସିଭ କରିନଥିଲେ । ସେହିପରି ଏସିପି ଜୋନ ୪ ରଜତ କୁମାର ରାୟଙ୍କ ମୋବାଇଲ ସହ ଯୋଗାଯୋଗ କରାଯାଇଥିଲା,ମାତ୍ର ତାଙ୍କ ଠାରୁ କିଛି ଉତ୍ତର ମିଳିନଥିଲା । ଶେଷରେ ଡିସିପି ଉମା ଶଙ୍କର ଦାଶଙ୍କ ମୋବାଇଲ ସହ ଯୋଗାଯୋଗ କରିବାରେ ସେ ଏ ଵାବଦରେ ବୁଝି ପଦକ୍ଷେପ ନେବେ ବୋଲି କହିଥିଲେ ।