ଆସୁଛି ଆଲୋକର ପର୍ବ ଦୀପାବଳି : ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି କୁମ୍ଭାର ପରିବାର

ଭୁବନେଶ୍ୱର, ୧୪/୧୦ : ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ଚାଲିଛି ଭଳି କି ଭଳି ଦୀପ ପ୍ରସ୍ତୁତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି କୁମ୍ଭାର ପରିବାର । ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ ନହରପଦା ଗାଁର କୁମ୍ଭାର ପରିବାର ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି । ଦୀପ ତିଆରି କରିବା ପରେ ତାକୁ ଭାଟିରେ ପୋଡିବା ସହ ଖରାରେ ଶୁଖାଇ ଭିନ୍ନ ଭିନ୍ନ ରଙ୍ଗ ଦେଇ ରଖିଥାନ୍ତି । ଭଦ୍ରକ ଆଦି ବିଭିନ୍ନ ଜିଲ୍ଲାକୁ ବିକ୍ରି ପାଇଁ ଦୀପ ଗୁଡିକୁ ପଠାଯାଉଛି । ଏଥି ସହିତ ଅର୍ଡର ମୁତାବକ ଦୀପ ମଧ୍ୟ ପ୍ରସ୍ତୁତ କରାଯାଉଛି । ଉଚ୍ଚ ସ୍ଥାନରୁ ମାଟି ଆଣି ତାକୁ ଭଲ ଭାବେ ଚକଟି ସେଥିରୁ ଦୀପ ତିଆରି କରନ୍ତି କୁମ୍ଭାର ପରିବାର । ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚକାଇବା କଷ୍ଟକର ହୋଇଯାଉଛି । ଯଦି ସରକାରୀ ସହାୟତା ମିଳି ପାରନ୍ତା ତାହେଲେ ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାର ମାଟିରେ ତିଆରି ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରି ପାରନ୍ତେ ଏମାନେ । ହାତର ଯାଦୁଗରି ଓ ନିର୍ମାଣଶୈଳୀ ହିଁ ଏମାନଙ୍କ ପରିଚୟ । କେଉଁ ବାପଅଜା ଅମଳରୁ ପିଢ଼ି ପରେ ପିଢ଼ି ଆପଣେଇଛନ୍ତି ନିଜର କୌଳିକ ବୃତ୍ତି । ଏହି କାରିଗରଙ୍କୁ ସରକାରୀ ସ୍ତରରେ ସହାୟତା କରାଗଲେ ସେମାନଙ୍କ ବୃତ୍ତି ବଞ୍ଚି ଯାଇପାରନ୍ତା ନିଶ୍ଚୟ ।

SBI_Festive_Digital Billboard