ପିପିଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସାଇକେଲରେ ବୁଲି ଭୋଟ ଭିକ୍ଷାକଲେ ପ୍ରତାପ ଷଡଙ୍ଗୀ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ
ପିପିଲି,୨୭/୯: ପିପିଲି ଉପନିର୍ବାଚନ ପ୍ରଚାର ମୈଦାନ ଏବେ କମ୍ପୁଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି ବହୁ ହେଭିଓ୍ବେଟ୍ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ଡୋର୍ ଡୋର୍ କ୍ୟାମ୍ପେନ୍ ଜାରି ରଖିଛନ୍ତି । ଏହି କ୍ରମରେ ରବିବାର ପିପିଲିର ସାଁପୁର ପଞ୍ଚାୟତର ବିଭିନ୍ନ ଗାଁରେ ବୁଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଷ୍ଟାର କ୍ୟାମ୍ପେନର ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାଇକେଲରେ ଗାଁ ରୁ ଗାଁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରିଛନ୍ତି ଦଳୀୟ ନେତା । ପ୍ରଚାର କାର୍ଯ୍ୟ ଆଉ ମାତ୍ର କିଛି ଦିନ ଥିବାରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଜୋରଦାର ପ୍ରଚାର ଜାରି ରଖିଛନ୍ତି ଦଳୀୟ ନେତା ଏବଂ କର୍ମୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିର୍ବାଚନୀ ପ୍ରଚାର କରିଛନ୍ତି ।
ସେପ୍ଟେମ୍ଵର ୩୦ରେ ଉପ ନିର୍ବାଚନ, ଅକ୍ଟୋବର ୩ରେ ଗଣତି । ତିନି ତିନିଥର ତାରିଖ ଘୋଷଣା ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ଲାଗି ସେପ୍ଟେମ୍ବର ୪ ତାରିଖରେ ଚତୁର୍ଥ ଥର ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ତାରିଖ ଘୋଷଣା ପରେ ଲାଗୁ ହୋଇଥିଲା ଆଚରଣବିଧି । ପିପିଲି ମୈଦାନରେ ୧୦ ପ୍ରାର୍ଥୀ ଥିବାବେଳେ ପ୍ରମୁଖ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ହେବ ଫାଇଟ୍ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଇଣ୍ଡୋର ମିଟିଂରେ ସର୍ବାଧିକ ୨ ଶହ ଲୋକ, ଆଉଟଡୋର୍ ମିଟିଂରେ ସର୍ବାଧିକ ୫ ଶହ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି । ସେହିପରି ଷ୍ଟାର କ୍ୟାମ୍ପେନରଙ୍କ ଆଉଟ୍ ଡୋର୍ ମିଟିଂରେ ସର୍ବାଧିକ ହଜାରେ ଲୋକ ଏକାଠି ହୋଇପାରିବେ । ଅତି ବେଶୀରେ ୨୦ ଜଣ ଷ୍ଟାର କ୍ୟାମ୍ପେନରଙ୍କୁ ପ୍ରଚାର ପାଇଁ ଅନୁମତି ମିଳିଛି। ସର୍ବାଧିକ ୫ ଜଣଙ୍କୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିପାରିବେ ପ୍ରାର୍ଥୀ । ପ୍ରଚାରରେ ବାଇକ୍ ରାଲି ଓ ରୋଡ୍ ସୋ’କୁ ଅନୁମତି ମିଳିନାହିଁ ।