ବାଲେଶ୍ବର,୨୪/୧୨ : ପ୍ରଧାନମନ୍ତ୍ରୀଙ୍କୁ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶୁକ୍ରବାର ଅପରାହ୍ନରେ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ପରାମର୍ଶ ଦେବାସହ ସଂସଦୀୟ କ୍ଷେତ୍ରର ହାଲଚାଲ ପଚାରି ବୁଝିଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ସୂଚନାଥାଉକି, ଦୁଇଦିନ ତଳେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସାଂସଦମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସାରି ପ୍ରଧାନମନ୍ତ୍ରୀ ଯାଉଥିବା ବେଳେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଉପରେ ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଯାଇଥିଲା। ସୁରକ୍ଷା କର୍ଡନ୍ରୁ ବାହାରି ଆସି ପ୍ରଧାନମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ପାଖକୁ ଆସିଥିଲେ। ବହୁତଦିନ ହେଲା ଆପଣଙ୍କ ସହ ମୋର ସାକ୍ଷାତ ହୋଇନଥିଲା, ତେଣୁ ହାଲ୍ଚାଲ୍ ବୁଝି ପାରିନଥିଲି ବୋଲି ପ୍ରଧାନମନ୍ତ୍ରୀ କହିବା ସହ କେମିତି ଅଛନ୍ତି ବୋଲି ପଚାରିଥିଲେ। ଉତ୍ତରରେ ଶ୍ରୀ ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରରେ ଅଧିକାଂଶ ସମୟ ରହୁଛି ବୋଲି କହିଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପିଏମ୍ଓ ଆସି ଭେଟିବାକୁ କହିଥିଲେ। ଆଜି ଦ୍ବିପହର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ସାରି ଶ୍ରୀ ଷଡ଼ଙ୍ଗୀ ବାହାରକୁ ଆସିବାପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି।
