ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଲେ ୨୫% ଶୁଳ୍କ

ନୂଆଦିଲ୍ଲୀ, ୩୧/୦୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଆସନ୍ତାକାଲିଠୁ ତାହା ଲାଗୁ କରାଯିବ । ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଆମେରିକାକୁ ଭାରତର ରପ୍ତାନି ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ଟ୍ରମ୍ପଙ୍କ ଟାରିଫ୍ ୬ଟି ସେକ୍ଟରକୁ ପ୍ରଭାବିତ କରିବ । ଏହି ଛଅଟି ସେକ୍ଟର ହେଉଛି ଟେକ୍ନୋଲୋଜି, ଫାର୍ମା, ଟେକ୍ସଟାଇଲ, ରତ୍ନ ଓ ଆଭୂଷଣ, ଇଲେକ୍ଟ୍ରୋନିକ୍ସ, ଓ ସମୁଦ୍ର ଉତ୍ପାଦ । ଆଲୋଚନା ଓ ବିକଳ୍ପ ରଣନୀତି ଏହାର ପ୍ରଭାବକୁ କମାଇବାରେ ସାହାଯ୍ୟ କରିପାରେ । ଭାରତ ଓ ଆମେରିକା ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଜାରି ରଖିଛନ୍ତି, ଯାହା ଅଗଷ୍ଟ ୨୫ରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ଚୁକ୍ତି ଟାରିଫର ପ୍ରଭାବକୁ ହ୍ରାସ କରିପାରେ । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ୟୁରୋପ, ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆ ଭଳି ବିକଳ୍ପ ବଜାର ଆଡ଼କୁ ମୁହାଁଇପାରନ୍ତି । ଟ୍ରମ୍ପ କହିଛନ୍ତି ବ୍ରିକ୍ସ ଦେଶ ସମୂହ ଆମେରିକା ବିରୋଧୀ । ଭାରତ ବିକ୍ରସର ସଦସ୍ୟ । ବ୍ରିକ୍ସ ଡଲାର ପତିଆରା ହ୍ରାସ ପାଇଁ ପ୍ରୟାସ କରୁଛି । କାହାକୁ ଆମ ଡଲାର ଉପରେ ହମଲା କରିବାକୁ ଦେବୁ ନାହିଁ । ତେଣୁ ଭାରତ ଉପରେ ଟାରିଫ ପଛର କାରଣ, କିଛି ଅଂଶରେ ବ୍ରିକ୍ସ ଓ କିଛି ଅଂଶରେ ବାଣିଜ୍ୟ ନିଅଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ଭଲ ବନ୍ଧୁ । କିନ୍ତୁ ଭାରତ ବାଣିଜ୍ୟ ଉଦ୍ଦେଶ୍ୟରେ ବାଣିଜ୍ୟ କରୁ ନାହାଁନ୍ତି ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ଭାରତ ସହ ଡିଲ୍ ନେଇ ଆଲୋଚନା ଚାଲିଥିବା ଟ୍ରମ୍ପ କହିଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଫାର୍ମା ରପ୍ତାନୀ ୨୧% ବୃଦ୍ଧି ପାଇ ୯.୮ ବିଲିୟନ ଡଲାରରେ ପହଞ୍ଚିଛି । ଯାହା ଭାରତର ମୋଟ ଫାର୍ମା ରପ୍ତାନୀର ୪୦% । ଏହି ଟାରିଫ ଯୋଗୁଁ ଭାରତୀୟ ଜେନେରିକ ଔଷଧର ଦାମ ବୃଦ୍ଧି ପାଇପାରେ । ଯାହା ଆମେରିକୀୟ ଗ୍ରାହକଙ୍କ ପାଇଁ ଔଷଧର ମୂଲ୍ୟ ବୃଦ୍ଧି କରିବ । ସନ୍ ଫାର୍ମା, ଡକ୍ଟର ରେଡ୍ଡିଜ୍ ଓ ଲୁପିନ ଭଳି କମ୍ପାନୀଗୁଡ଼ିକ ପ୍ରଭାବିତ ହୋଇପାରନ୍ତି । ଭାରତ ୨୦୨୪ରେ ଆମେରିକାକୁ ୧୨ ବିଲିୟନ ଡଲାର ମୂଲ୍ୟର ଇଲେକ୍ଟ୍ରିକାଲ ମେସିନେରୀ ଓ ସ୍ମାର୍ଟଫୋନ ରପ୍ତାନୀ କରିଛି । ନୂଆ ଟାରିଫ ଭାରତୀୟ ଟେକ୍ ଉତ୍ପାଦର ପ୍ରତିଯୋଗିତାକୁ ହ୍ରାସ କରିପାରେ। ଯାହା ରପ୍ତାନୀ ପରିମାଣ ଓ ଚାକିରି ଉପରେ ପ୍ରଭାବ ପକାଇବ । ବୟନ ଶିଳ୍ପରେ ଭାରତର ମୋଟ ରପ୍ତାନୀର ୨୮ ପ୍ରତିଶତ ଆମେରିକାକୁ ହୋଇଥାଏ । ଏବେ ଏହା ପ୍ରଭାବିତ ହୋଇପାରେ । ଓ୍ଵେଲସ୍ପନ ଲିଭିଂ ଓ ଟ୍ରାଇଡେଣ୍ଟ ଟାରିଫ ଯୋଗୁଁ ପ୍ରଭାବିତ ହୋଇପାରନ୍ତି । ଏହି ଟାରିଫ ଏହି କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ହ୍ରାସ କରିପାରେ । ଆମେରିକା ଭାରତଠାରୁ ୭.୨ ବିଲିୟନ ଡଲାର ମୂଲ୍ୟର ସାମୁଦ୍ରିକ ଉତ୍ପାଦ ଆମଦାନୀ କରୁଛି । ଯାହା ଭାରତର ମୋଟ ସାମୁଦ୍ରିକ ଉତ୍ପାଦ ରପ୍ତାନୀର ଏକ ତୃତୀୟାଂଶ । ଟାରିଫ ଯୋଗୁଁ ଭାରତୀୟ ଚିଙ୍ଗୁଡି ରପ୍ତାନୀ କ୍ଷେତ୍ରରେ ଲାଟିନ ଆମେରିକୀୟ ଦେଶ ତୁଳନାରେ ପଛରେ ପଡିପାରେ । ନୂଆ ଟାରିଫ ଯୋଗୁଁ, ଭାରତର ଜିଡିପି ବୃଦ୍ଧି ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପ୍ରଭାବକୁ ଏହା କମାଇପାରେ ଏବଂ ବିଦେଶୀ ନିବେଶରେ ଆସିପାରେ ଅସ୍ଥିରତା ।

SBI AD