ଭୁବନେଶ୍ୱର, ୧୦/୨: ମାତୃ କରୁଣା ଓ ମାତୃ ପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଶୁକ୍ରବାର ଉତ୍କଳ ମଣ୍ଡପରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସରେ ଯୋଗଦେଇ ବକ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।
ସେ କହିଛନ୍ତି ଯେ ‘’ଛତ୍ରପତି ଶିବାଜୀଙ୍କ ବୀରତ୍ୱ ଓ ସ୍ୱାଭିମାନ ପଛରେ ମାଆ ଜିଜାବାଈଙ୍କ ବିଶେଷ ଅବଦାନ ଥିଲା। ମାଆ ପୁତଲିବାଇଙ୍କ ପ୍ରେରଣାରେ ମାହାତ୍ମା ଗାନ୍ଧୀ ସାରା ଜୀବନ ସତ୍ୟ ଓ ଅହିଂସାର ମାର୍ଗରେ ଯାତ୍ରା କରିଥିଲେ। ସେହିପରି ମାଆ ପଦ୍ମାବତୀଙ୍କ ଦ୍ୱାରା ପ୍ରେରିତ ହୋଇ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କିମ୍ବଦନ୍ତୀ କହେ। ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ଯୋଗ ଜୀବନରେ ମାତା ଜ୍ଞାନପ୍ରଭାଙ୍କ ଆଶୀର୍ବାଦ ଥିଲା ବୋଲି ସେ ତାଙ୍କ ଅଭିଭାଷଣରେ ବଖାଣଛନ୍ତି।
ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସେ ତାଙ୍କ ଉଦବୋଧନରେ କହିଛନ୍ତି ‘’ଆଧ୍ୟାତ୍ମିକତା ସହ ମାତୃଶକ୍ତିର ପ୍ରାସଙ୍ଗିକତାକୁ ଯୋଡ଼ା ନଗଲେ ସମାଜର ଉତ୍ଥାନ ଓ ଅଗ୍ରଗତି ଅସମ୍ଭବ। ସମସ୍ତ ବୈଜ୍ଞାନିକ ପ୍ରୟୋଗର ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି। ଜ୍ଞାନପ୍ରଭା ମିଶନର ମାତୃଶକ୍ତି ମାଧ୍ୟମରେ ସମାଜର ଉତ୍ଥାନ ଲକ୍ଷ୍ୟକୁ ଆମେ ସମସ୍ତେ ଓଡ଼ିଶାର ଗୋଟିଏ ମଡେଲ ଭାବେ ତିଆରି କରି ବିଶ୍ୱକୁ ପ୍ରଭାବିତ କରିବାର ଦାୟିତ୍ୱ ନେବା ଉଚିତ୍’’।
କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ, ସମାଜ ଯେ ପର୍ଯ୍ୟନ୍ତ ନିଜ ଦାୟିତ୍ୱ ନେବ ନାହିଁ, ସେ ପର୍ଯ୍ୟନ୍ତ ସମାଜରେ ଜାଗୃତି ଆଣିବା ଅସମ୍ଭବ। ଜ୍ଞାନପ୍ରଭା ମିଶନ ସେଭଳି ସମାଜ ଜାଗୃତିର ଅନନ୍ୟ ଜନଆନ୍ଦୋଳନ ରୂପ ନେଇଛି।