ଭୁବନେଶ୍ବର, ୦୩/୦୨ : ଓଡ଼ିଶାରେ ମହାମହମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କରିବେ। ୬ଦିନିଆ ଗସ୍ତରେ ଆସି ଗତକାଲି ଭୁବନେଶ୍ବରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇବି ଖୁରାନିଆ । ବିମାନବନ୍ଦରରୁ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିଥିଲେ ମହାମହିମ । ଆଜି ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ। ପରେ ନାଭିଗୟା ପିଣ୍ଡରେ ପିଣ୍ଡଦାନ କରିବେ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଯାଜପୁର ଗସ୍ତ କରୁଥିବାରୁ ଜିଲ୍ଲାପ୍ରଶାସନ ସହ ମନ୍ଦିର ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି । ପରେ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ମହାମହିମ । ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସନ୍ଧ୍ୟାରେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ, ଆଳତୀ ଏବଂ ପିଣ୍ଡଦାନ କରିବେ।