ଭୁବନେଶ୍ବର, ୦୨/୦୨ : ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ବରରୁ ବିରଜା କ୍ଷେତ୍ର, ପରେ ଶ୍ରୀକ୍ଷେତ୍ର ଆସିବେ ମହାମହିମ । ଶେଷରେ ଜନ୍ମଭୂମି ମୟୂରଭଞ୍ଜ ଯାତ୍ରା କରି ଓଡ଼ିଶା ଗସ୍ତ ଶେଷ କରିବେ । ସଂଧ୍ୟା ୬ଟା ୪୦ରେ ଭୁବନେଶ୍ବର ବିମାନନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ଯାଜପୁରରୁ ବାଲେଶ୍ବର ଗସ୍ତ କରି ଫକୀରମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏଥିପାଇଁ ବାଲେଶ୍ବରରେ ଜିଲ୍ଲା ପ୍ରଶାସନ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ବରରୁ ସଂଧ୍ୟାରେ ପୁରୀ ଆସି ଲୋକଭବନରେ ରାତ୍ରୀ ଯାପନ କରିବେ ମହାମହିମ । ପରଦିନ ଅର୍ଥାତ ଫେବ୍ରୁଆରୀ ୪ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ବେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ। କାଲି ପୁରୀ ହେଲିପ୍ୟାଡରେ ଦୁଇଟି ହେଲିକପ୍ଟର ଅବତରଣର ପ୍ରାକ୍ ଅଭ୍ୟାସ କରିଛି । ହେଲିପ୍ୟାଡରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଏସପି ପ୍ରତୀକ ସିଂହ । ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱତଗଙ୍ଗା ପୁଷ୍କରିଣୀ ଚତୁର୍ପାର୍ଶ୍ୱ, ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ବାହାର, ବଡଦାଣ୍ଡ ଓ ସମ୍ପୂର୍ଣ୍ଣ ପୁରୀ ସହରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ପୁନମ ଗୁହା ତାପସ କୁମାର । ଫେବ୍ରୁଆରୀ ୬ରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଶିମିଳିପାଳ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ସୁରକ୍ଷା ଦୃଷ୍ଟିରୁ ଫେବ୍ରୁଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଫେବ୍ରୁଆରୀ ୭ ସକାଳ ୯ଟା ୧୦ମିନିଟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଛତିଶଗଡ଼ ଜଗଦଲପୁର ଯିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି ।