ଭୁବନେଶ୍ୱର,୧୦/୨: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରମୁଖ ମଂଚାସୀନ ଥିଲେ । ଆଜି ରାଷ୍ଟ୍ରପତି ମୁର୍ମୁ ମଞ୍ଚ ଉପରେ ୪ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସୌମ୍ୟା ସ୍ବାମୀନାଥନ୍ଙ୍କୁ ଡି.ଏସ୍ସି ଡିଗ୍ରି, ସାହିତ୍ୟ ଓ ସମାଜସେବା ପାଇଁ ପୂର୍ଣ୍ଣମାସୀ ଜାନୀ, ସମାଜସେବା ଓ ମହିଳା ସଶକ୍ତୀକରଣ ଲାଗି ସୁନିତା କ୍ରିଷ୍ଣନ୍, କଳା ଓ ସଂସ୍କୃତି କ୍ଷେତ୍ର ଲାଗି ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଡି.ଲିଟ୍ ଡିଗ୍ରି ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଛନ୍ତି, ନାରୀ ସଶକ୍ତୀକରଣ ଆଉ ସ୍ଲୋଗାନ୍ ହୋଇ ରହିନାହିଁ, ଏବେ ବାସ୍ତବ ହୋଇଛି। କଳା, ସାହିତ୍ୟ, ସଂଗୀତ,ନୃତ୍ୟ, କ୍ରୀଡ଼ା, ବିଜ୍ଞାନ ଓ ଅନ୍ୟ ସବୁ କ୍ଷେତ୍ରରେ ମହିଳାମାନେ ସଫଳତା ହାସଲ କରିଛନ୍ତି। ନାରୀ ଓ ପୁରୁଷ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ସାମାଜିକ ବ୍ୟବସ୍ଥା ହିଁ ପ୍ରଭେଦ ସୃଷ୍ଟି କରିଛି। ମାତ୍ର ତାହା ଆଜି ଭାଙ୍ଗି ଯାଇଛି। ସବୁ କ୍ଷେତ୍ରରେ ମହିଳାମାନେ ନିଜର ଉତ୍କର୍ଷ ପ୍ରତିପାଦିତ କରିଛନ୍ତି। ପ୍ରଥମ ଥର ଲାଗି ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଟପିଛି। ବର୍ତ୍ତମାନ ସଂସଦରେ ୧୧୫ ଜଣ ମହିଳା ସାଂସଦ ଅଛନ୍ତି ବୋଲି କହିଛନ୍ତି ।
୨୦୨୨ ମସିହା ପାଇଁ ୨୨ଜଣ ଛାତ୍ରୀଙ୍କୁ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ଦିଆଯାଇଛି । ଯେଉଁଥିରେ ପିଜି ବିଭାଗର ଶ୍ରେଷ୍ଠ ୧୫ଜଣ ଛାତ୍ରୀ, ୪ଜଣ ଶ୍ରେଷ୍ଠ ବିଜ୍ଞାନ ଗ୍ରାଜୁଏଟ୍, କଳାର ଶ୍ରେଷ୍ଠ ଗ୍ରାଜୁଏଟ୍, ବାଣିଜ୍ୟର ଶ୍ରେଷ୍ଠ ଗ୍ରାଜୁଏଟ୍ ଓ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ୍ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ମିଳିଛି । ବି.ଏଡ୍ର ଟପର୍ଙ୍କୁ ବି ସ୍ବର୍ଣ୍ଣପଦକ ଦିଆଯିବ। ଦୁଇଜଣ ଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରି ପ୍ରଦାନ କରାଯିବ। ରାଷ୍ଟ୍ରପତି ଓ କୁଳାଧିପତି ମିଳିବ ଭାବେ ଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଏହି ପବିତ୍ର ମାଟିକୁ ପ୍ରଣାମ କରୁଛି ।
ରାଜ୍ୟପାଳ ଥିବାବେଳେ ମୁଁ ଦୁଇ ଥର ରମାଦେବୀ ପ୍ରାଙ୍ଗଣକୁ ଆସିଛି । ସତେ ଅନୁଭବ ହେଉଛି ଯେ ଦୀର୍ଘ ୪୦-୪୨ ବର୍ଷର ରମାଦେବୀର କାନ୍ଥ ମୁକସାକ୍ଷୀ ହୋଇ ମୋତେ ସ୍ୱାଗତ କରୁଛି ଓ ଶ୍ରଦ୍ଧାରେ ପାଛୋଟି ଆଣୁଛି । ରମାଦେବୀ ମହାବିଦ୍ୟାଳୟରେ ପଢ଼ିବାର ଅନୁଭୂତି ବାବଦରେ ଦ୍ରୌପଦୀ କହିଥିଲେ ଯେ ଏହା ଏମିତି ଏକ ବିଶ୍ୱବିଦ୍ୟାଳୟ ଥିଲା ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ଏକାଠି ପାଠ ପଢ଼ୁଥିଲୁ । ଆମ ଭିତରେ କୌଣସି ଭେଦଭାବ ନଥିଲା, ମନରେ ଉଦ୍ଦୀପନା ସୃଷ୍ଟି କରୁଥିଲା, ଏକ ନୂଆ ମହକ ସୃଷ୍ଟି କରୁଥିଲା ।
