ଭୁବନେଶ୍ବର, ୨୩/୧୧ : ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୨୭ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବା ସହ ଓଡ଼ିଶା ବିଧାନସଭାକୁ ମଧ୍ୟ ସମ୍ଭୋଧିତ କରିବେ ରାଷ୍ଟ୍ରପତି ।ଏହାପରେ ରାଷ୍ଟ୍ରପତି ମୁର୍ମୁ ରାଜଭବନରେ ରାତ୍ରିଯାପନ କରି ୨୮ ତାରିଖ ପୂର୍ବାହ୍ନରେ ଲକ୍ଷ୍ନୌ ବିମାନ ବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତି ୨୭ ତାରିଖ ପୂର୍ବାହ୍ନ ୧୧. ୫୦ ମିନିଟରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଗସ୍ତରେ ଆସିବେ । ଅପରାହ୍ନ ୨ ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ୨.୧୦ରେ ବିମାନବନ୍ଦରରୁ ସିଧା ରାଜଭବନରେ ଯିବେ । ଅପରାହ୍ନ ୨.୨୦ ରାଜଭବନରେ ରାଷ୍ଟ୍ରପତି ପହଞ୍ଚିବେ । ଅପରାହ୍ନ ୨.୨୫ରେ ରାଷ୍ଟ୍ରପତି ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦଘାଟନ କରିବେ । ସେଠାରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ ସାମିଲ ହେବେ ।
ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୩ ଜଣ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ବିଧାନସଭାର ବାଚସ୍ପତି, ପୁର୍ତ୍ତ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ପୋଲିସ ଡିଜି, ଅଗ୍ନିଶମ ଡିଜି ଓ ପୋଲିସ କମିଶନର ଉପସ୍ଥିତ ରହିବେ । ଅପରାହ୍ନ ୨.୪୫ରୁ ଅପରାହ୍ନ ୪.୧୦ ପର୍ଯ୍ୟନ୍ତ କଳିଙ୍ଗ ଅତିଥି ନିବାସରେ ରହିବେ । ଅପରାହ୍ନ ୪ ଟା ୧୦ ସମୟରେ ବାହାରି ଅପରାହ୍ନ ୪.୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ । ୪.୩୦ ରୁ ୫.୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ସଦସ୍ୟାମାନଙ୍କୁ ସମ୍ବୋଧନ କରିବେ । ରାଜଭବନର କଳିଙ୍ଗ ଅତିଥି ଭବନକୁ ଯିବେ । ସେଦିନ ରାଷ୍ଟ୍ରପତି ରାଜଭବନରେ ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ର ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତା’ ପରଦିନ ଅର୍ଥାତ୍ ୨୮ ତାରିଖ ସକାଳୁ ୯.୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ଯିବେ । ୯. ୩୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲକ୍ଷ୍ନୌ ବିମାନ ବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ରାଷ୍ଟ୍ରପତିଙ୍କ ଆଗମନରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ରାଷ୍ଟ୍ରପତିଙ୍କର ସୁରକ୍ଷା, ରାଜଭବନରେ ରହଣି, କାରକେଡ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ହେଉଛି ।