ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସନ୍ଦେଶ

ନୂଆଦିଲ୍ଲୀ,୨୫/୧: ୭୩ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି। ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି, ଗଣତନ୍ତ୍ର ଦିବସ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁଥିବା ଏକ ଜାତୀୟ ଉତ୍ସବ। ଅଧିକାର ଏବଂ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି ରାଷ୍ଟ୍ରପତି କହିଛନ୍ତି।

୧୯୫୦ରେ ଆଜିର ଦିନରେ ଆମ ସମସ୍ତଙ୍କୁ ଗୌରବଶାଳୀ ପରିଚୟ ମିଳିଥିଲା। ପ୍ରତି ବର୍ଷ ଗଣତନ୍ତ୍ର ଦିବସକୁ ଆମେ ନିଜର ଗତିଶୀଳ ଗଣତନ୍ତ୍ର ତଥା ଜାତୀୟ ଏକତାର ଭାବନା ଉତ୍ସବ ଭାବେ ପାଳନ କରିଥାଉ। ମହାମାରୀ କାରଣରୁ ଚଳିତ ବର୍ଷର ଧୂମଧାମ ଉତ୍ସବ ପାଳନରେ କିଛିଟା କମ ହୋଇଛି। ମାତ୍ର ଆମର ଭାବନା ସର୍ବଦା ମଜବୁତ ରହିଛି।

ରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଦିବସର ଏହି ଦିନ ସେହି ମହାନାୟକଙ୍କୁ ମନେ ପକାଇବାର ଏକ ଦିନ, ଯେଉଁମାନେ ସ୍ଵରାଜର ସ୍ଵପ୍ନ ସାକାର କରିବା ପାଇଁ ଅତୁଳନୀୟ ସାହାସର ପରିଚୟ ଦେଇଥିଲେ। ସେମାନଙ୍କ ପାଇଁ ହିଁ ଦେଶବାସୀଙ୍କ ମଧ୍ୟରେ ସଂଘର୍ଷର ଉତ୍ସାହ ଜାଗି ଉଠିଛି। ମାନବ ସମୁଦାୟକୁ ପରସ୍ପରର ସାହାଯୟ କରିବାକୁ ଆଜି ଯେତିକି ଆବଶ୍ୟକତା ପଡିଛି, ତାହା ପୂର୍ବରୁ କେବେ ପଡିନଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଛି, ମାତ୍ର ମାନବ ଜାତିର କରୋନା ଭାଇରସ୍ ବିରୋଧରେ ସଂଘର୍ଷ ଏବେ ମଧ୍ୟ ଜାରି ରହିଛି। କରୋନା ମହାମାରୀରେ ହଜାର ସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।