ନୂଆଦିଲ୍ଲୀ,୨୪/୧୦: ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଦୁର୍ଗାପୂଜା ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ପ୍ରତୀକ ବହନ କରେ। ସେ କହିଛନ୍ତି, ମହିଳାମାନଙ୍କୁ ସମ୍ମାନ କରିବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ମାତୃଶକ୍ତି ଅର୍ଥାତ୍ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିବେଦନ କରିଛନ୍ତି।
ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି, ଦେବୀ ଦୁର୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କାମନା କରିଛନ୍ତି। ଦୁର୍ଗାପୂଜା ମନ୍ଦ ଉପରେ ଭଲର ବିଜୟ ଉଦ୍ଦେଶ୍ୟରେ ପାଳନ କରାଯାଉଥିବାରୁ ସମାଜରୁ ସମସ୍ତ କୁସଂସ୍କାରକୁ ଦୂରକରିବା ପାଇଁ ସକଳ୍ପବଦ୍ଧ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଐକ୍ୟବଦ୍ଧ ଭାବେ ଆମେ ଆମର ଚତୁଃପାର୍ଶ୍ବକୁ ସୁରକ୍ଷିତ, ସୁସ୍ଥ ଓ ସମୃଦ୍ଧ ତଥା ବଞ୍ଚିବା ଉପଯୋଗୀ କରିପାରିବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି, ମା’ ଦୁର୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ସମସ୍ତଙ୍କ ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣିଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।