ନୂଆଦିଲ୍ଲୀ,୧୭ /୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷର ଯାତ୍ରା ପୂରା କରିଛନ୍ତି । ଦେଶର କ୍ଷମତା ନିଜ ହାତରେ ପରିଚାଳନା କରିବା ପରେ ନରେନ୍ଦ୍ର ମୋଦୀ ୫ଟି ଐତିହାସିକ ପଦକ୍ଷେପ ନେଇଛନ୍ତି । ମୋଦୀଙ୍କ ଏହି ପଦକ୍ଷେପ ଗୁଡ଼ିକୁ ଭାରତରେ ତଥା ବିଦେଶରେ ଗୁଣଗାନ କରାଯାଉଛି ।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା, ମୁସଲିମ ମହଳାଙ୍କୁ ତିନି ତଲାକରୁ ମୁକ୍ତି ଦେବା, ନାଗରିକତା ସଂଶୋଧନ ଆଇନ, ରାମ ମନ୍ଦିର ନିର୍ମାଣ ଓ ସର୍ଜିକାଲ ଷ୍ଟ୍ରାଇକ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ଦିନରୁ ଚାଲିଥିବା ବିବାଦକୁ ସହଜରେ ସମାଧାନ କରିଛନ୍ତି ମୋଦୀ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହିତ ୨ଟି କେନ୍ଦ୍ର ଶାସିତ ଅଂଚଳ ଭାବରେ ବିଭାଜନ କରିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଫଳରେ ଜମ୍ମୁ କଶ୍ମୀର ଓ ଲଦ୍ଦାଖ ୨ଟି କେନ୍ଦ୍ର ଶାସିତ ରାଜ୍ୟର ଜନ୍ମ ହୋଇଥିଲା । ମୁସଲିମ ମହିଳାଙ୍କୁ ତିନି ତଲାକରୁ ମୁକ୍ତି ଦେଇ ମୋଦୀ ସରକାର ଏକ ଚିରସ୍ମରଣୀୟ କାମ କରିଛନ୍ତି । ଏହି ବିଲ ପାସ ହେବା ପାଇଁ ଦୀର୍ଘ ଦିନ ସମୟ ଲାଗିଥିଲା । ଶେଷରେ ୨୦୧୯ ଅଗଷ୍ଟ ୧ରେ ଏହା ଆଇନରେ ପରିଣତ ହୋଇଥିଲା ।
ସେହିପରି ମୋଦୀ ସରକାରଙ୍କ ଅନ୍ୟ ବଡ଼ ଅଭିଜ୍ଞତା ହେଉଛି ନାଗରିକତା ସଂଶୋଧନ ଆଇନ । ଗତ ଜାନୁଆରୀ ୧୦ରୁ ଏହା ଦେଶରେ ଲାଗୁ କରାଯାଇଛି । ଏହି ଆଇନରେ ପାକିସ୍ତାନ, ଆଫଗାନିସ୍ତାନ ଓ ଅନ୍ୟ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଇହୁଦୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିଳିପାରୁଛି । ଏହାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିଲା ।
ସର୍ଜିକାଲ ଷ୍ଟ୍ରାଇକ କରି ମୋଦୀ ସରକାର ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କ ମାଧ୍ୟମରେ କଶ୍ମୀର ସମେତ ଦେଶର ଅନ୍ୟ ଅଂଚଳରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଥାଏ । ବେଳେ ବେଳେ ଭାରତ ଏହାର ଜବାବ ଦେଇପାରି ନଥାଏ । କିନ୍ତୁ ମୋଦୀ ସରକାର ଆସିବା ପରେ ୨୦୧୬ ସେପ୍ଟେମ୍ବର ୧୬ରେ ଉରୀ ଆକ୍ରମଣ ଘଟଣାର ୧୧ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୯ରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ସେଦିନ ଭାରତୀୟ ଯବାନମାନେ ଏଲଓସିରେ ପ୍ରବେଶ କରି ଆତଙ୍କବାଦୀଙ୍କ ଲଂଚ ପ୍ୟାଡ ନଷ୍ଟ କରିଥିଲେ ।