କଲମ୍ବୋ, ୧/୧୨ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋସ୍ଥିତ ମହାରା ଜେଲରେ କଏଦୀ ଓ ଜେଲ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଆଠ ଜଣ କଏଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଜେଲ ଅଧିକାରୀଙ୍କ ସମେତ ୩୭ ଜଣ ଆହତ ହୋଇଥିଲେ। କାରାଗାରର ମୁଖ୍ୟ ଦ୍ୱାର ଜେଲର କଏଦୀମାନେ ବଳପୂର୍ବକ ଖୋଲିବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି । କାରଣ କଏଦୀମାନେ ଏଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ଫଳରେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା ।
ସୂଚନାଯୋଗ୍ୟ, କରୋନା ସଂକଟ କାଳରେ ଶ୍ରୀଲଙ୍କାର ଜେଲରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯିବା ନେଇ କିଛି ମାସ ପୂର୍ବରୁ ବିରୋଧ ହୋଇଆସୁଛି । କିଛି ଜେଲରେ କଏଦୀମାନେ ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ସୋମବାର କଲମ୍ବୋ ଉପକଣ୍ଠରେ ଥିବା ମହାରା ଜେଲରେ କଏଦୀମାନଙ୍କ ଅସନ୍ତୋଷ ବଢ଼ିଛି । ଗଣ୍ଡଗୋଳ ଜେଲରେ କୋଭିଡ -୧୯ର ବୃଦ୍ଧି ମାମଲା ବିରୋଧରେ ପ୍ରଦର୍ଶନ ସମୟରେ ଘଟିଥିଲା | ଏହି କାରାଗାରରେ ୧୭୫ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଛି। ରିମାଣ୍ଡରେ ଥିବା କିଛି ବନ୍ଦୀ କାରାଗାରର ଦ୍ୱାର ଖୋଲି ପଳାଇବାକୁ ଚେଷ୍ଟା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜେଲ ଅଧିକାରୀ ଓ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଛି, ଯେଉଁଥିରେ କି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଥିବା ବେଳେ ସେମାନଙ୍କୁ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି ।