ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କ ପାଇଁ ଯୋଗୀ ଆଦିତ୍ୟନାଥ ସରକାର କର୍ମଚାରୀଙ୍କୁ ୨୮ ଦିନର ଛୁଟି ଓ ବେତନ ଦେବାକୁ ଘୋଷଣା କରିଛନ୍ତି । ସରକାର ଏହି ସମ୍ବନ୍ଧରେ ସୋମବାର ଆଦେଶ ଜାରି କରିଛନ୍ତି।
ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସଂପର୍କରେ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶରେ କୁହାଯାଇଛି ଯେ, ସରକାରଙ୍କ ଦ୍ଵାରା ବନ୍ଦ କରାଯାଇଥିବା ପ୍ରତିଷ୍ଠାନ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ଆଦେଶ ଲାଗୁ ହେବ। ସେମାନଙ୍କୁ ମଧ୍ୟ କରୋନା ଚିହ୍ନଟ ହେଲେ ବେତନ ଓ ଛୁଟି ଦିଆଯିବ। ଏଥିପାଇଁ କର୍ମଚାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡିବ।
ଯେଉଁ କର୍ମଚାରୀ କରୋନା ପଜିଟିଭ୍ ସଂକ୍ରମିତ ଏବଂ ଆଇସୋଲେସନରେ ରହିଛନ୍ତି, ସେମାନଙ୍କ ସଂସ୍ଥା ତରଫରୁ ସେମାନଙ୍କୁ ୨୮ ଦିନର ବେତନ ଏବଂ ଛୁଟି ଦିଆଯିବ। ସରକାର ଏଥିପାଇଁ ସର୍ତ୍ତ ମଧ୍ୟ ରଖିଛନ୍ତି। କର୍ମଚାରୀଙ୍କୁ ସୁସ୍ଥ ହେବା ପରେ କରୋନା ନେଗେଟିଭ୍ ରିପୋର୍ଟ ନିଜର ଉଚ୍ଚ ଅଧିକାରୀଙ୍କୁ ଜମା କରିବାକୁ ପଡିବ। ଯାହା ପରେ ସରକାରଙ୍କ ସୁବିଧା କର୍ମଚାରୀଙ୍କୁ ମିଳିବ।