ନାକଚ ହୋଇପାରେ ମମତାଙ୍କ ନାମାଙ୍କନ ! ଅଭିଯୋଗ ଆଣିଲା ବିଜେପି

କୋଲକାତା,୧୪/୯: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଠାରେ ତୃଣମୂଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରିୟଙ୍କା ତିବ୍ରିୱାଲ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୩୦ରେ ମତଦାନ ଅନୁଷ୍ଠିତ ହେବ । ଏହାପୂର୍ବରୁ ବିଜେପି ମମତାଙ୍କ ନାମାଙ୍କନ ଉପରେ ପ୍ରଶ୍ନ ଉଠାଇଛି। ବିଜେପି କହିଛି ଯେ ନାମାଙ୍କନପତ୍ର ଦାଖଲ କରିବାବେଳେ ମମତା ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ପାଞ୍ଚଟି ପୁଲିସ୍ ମାମଲା ପ୍ରକାଶ କରିନାହାଁନ୍ତି ।

ଅନ୍ୟପଟେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ସୂଚନା ଥାଉ କି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ଆଉ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେଲେ ଏହି ଉପନିର୍ବାଚନ ଜିତିବାକୁ ପଡିବ ।

ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱାଲ ଭବାନୀପୁରର ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ମମତା ବାନାର୍ଜୀଙ୍କ ବିରୋଧରେ ପାଞ୍ଚଟି ପୁଲିସ ମାମଲା ରୁଜୁ ହୋଇଛି ଏବଂ ସେ ଏହି ତଥ୍ୟ ପ୍ରକାଶ କରିନାହାଁନ୍ତି । ତେଣୁ ତାଙ୍କ ନାମାଙ୍କନକୁ ନାକଚ କରାଯାଉ ।ସୂଚନା ଥାଉ କି ଯେ ମମତା ବାନାର୍ଜୀଙ୍କ ବିରୋଧରେ ଏହି ପାଞ୍ଚଟି ମାମଲା ଆସାମରେ ପଞ୍ଜିକୃତ ହୋଇଛି ।