ପାଣ୍ଡିଆନ୍ ବିଜେଡି ଛାଡ଼ିଲେ କିଏ ନବୀନଙ୍କ ପଛରେ ରହି ଦଳକୁ ପରିଚାଳନା କରିବ ?

0

ଭୁବନେଶ୍ବର,୨୪/୩ : ନବୀନ ପଟ୍ଟନାୟକ ବିଜେଡି‌ ସଭାପତି ଅଛନ୍ତି । କିନ୍ତୁ ଦ୍ବିତୀୟ କ୍ଷମତା କେନ୍ଦ୍ର କିଏ ହେବ? କିଏ ନବୀନଙ୍କ ପଛରେ ରହି ଦଳକୁ ପରିଚାଳନା କରିବ ? ପାଣ୍ଡିଆନ୍ କ’ଣ  ବିଜେଡି ଛାଡ଼ି ବାହାରକୁ ଚାଲିଯିବେ ? ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା ବେଳେ ଏସବୁକୁ ନେଇ ଏବେ ବିଜେଡିରେ ଚର୍ଚ୍ଚା ଜୋର୍‌ ଧରିଛି। ପାଣ୍ଡିଆନ୍ ବିଜେଡିର ପ୍ରଚ୍ଛଦରେ ରହି ପରିଚାଳନା କରୁଥିବା କଥା ଅଛପା ନାହିଁ। ବିଜେଡିର ଜଣେ ନେତା ନବୀନ ନିବାସରେ ତାଙ୍କ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ଆଉ ଜଣେ ବିଧାୟକ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଖୋଲାଖୋଲି ଓକିଲାତି କରିବାକୁ ପଛାଇ ନାହାନ୍ତି। ଦଳର ସାଂଗଠନିକ ନିର୍ବାଚନ ମଧ୍ୟ ତାଙ୍କ ଇଙ୍ଗିତ‌ରେ କରାଯାଉଥିବା କୁହାଯାଉଛି। ଏସବୁ ଭିତରେ ଯେଉଁ ଚର୍ଚ୍ଚା ବିଜେଡି ଓ ରାଜନୈତିକ ଶିବିରକୁ ଗରମ କରିଛି, ତାହା ହେଲା- ପାଣ୍ଡିଆନ୍ ଏକ ଆନ୍ତର୍ଜାତିକ କମ୍ପାନିରେ ଚାକିରି କରିବେ ଓ ଓଡ଼ିଶା ଛାଡ଼ିବେ। ଏ ସମ୍ପର୍କରେ ନିଜେ ପାଣ୍ଡିଆନ୍‌ ମୁହଁ ଖୋଲିନାହାନ୍ତି। ନବୀନ ନିରବ ଅଛନ୍ତି। ଯୋଜନାବଦ୍ଧ ଭାବେ ଏ ଖବର ବାହାରକୁ ଛଡ଼ାଯାଇଛି ନା ଏଥିରେ ସତ ଅଛି, ତାହା ସମୟ କହିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦଳୀୟ ଆଭ୍ୟନ୍ତରୀଣ ରାଜନୀତି ଗଡ଼ବଡ଼ ଥିଲା ବେଳେ ନବୀନ ପୁଣି ଦିଲ୍ଲୀ ଯାଇଛନ୍ତି। ୭ଦିନ ପରେ ଫେରିବେ। ନବୀନଙ୍କ ବାରମ୍ବାର ଦିଲ୍ଲୀ ଗସ୍ତର କାରଣ ଖୋଜୁଛନ୍ତି ଦଳୀୟ ନେତା। କିଛି ଦିନ ତଳେ ନବୀନ ଦିଲ୍ଲୀ ଯାଇଥିଲେ ଓ ତା’ ପରେ ପାଣ୍ଡିଆନ୍‌ଙ୍କ ବିଦେଶ ଚାକିରି ଚର୍ଚ୍ଚା ପଦାକୁ ଆସିଥିଲା। ଏଥର ବି ତାଙ୍କ ସହ ପାଣ୍ଡିଆନ୍ ଦିଲ୍ଲୀ ଯାଇଛନ୍ତି। କିନ୍ତୁ କେଉଁ କାରଣ ପାଇଁ ଏତେ ଦିନ ନବୀନ ଦିଲ୍ଲୀରେ ରହିବେ, ତାହା ସ୍ପଷ୍ଟ ହୋଇନି।

କିଛି ଦିନ ତଳେ ତାମିଲନାଡ଼ୁରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ହୋଇଥିବା ମେଳିରେ ବିଜେଡି ସାମିଲ ହୋଇଥିଲା। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ କେନ୍ଦ୍ରର ନୀତିକୁ ଦଳ ବିରୋଧ କରିଥିଲା। ବିଜେଡିର ଏହି ପରିବର୍ତ୍ତିତ ଆଭିମୁଖ୍ୟ ଉପରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ନିରବ ଅଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନଙ୍କ ଦିଲ୍ଲୀ ଗସ୍ତ ବେଶ୍‌ ଗୁରୁତ୍ବ ବହନ କରୁଛି। ଏପଟେ ବିଜେଡିର ପରାଜୟ ପ‌‌ରେ କିଛି ଦିନ ନେତାମାନେ ନିରବ ରହିଥିଲେ। ଦଳ ପକ୍ଷରୁ ପରାଜୟର ସମୀକ୍ଷା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଆଶ୍ବାସନା ଦିଆଯାଇଥିଲା। କିନ୍ତୁ ୯ ମାସ ଭିତରେ ସେପରି କିଛି ହେଲା ନାହିଁ କି ହେବାର ସମ୍ଭାବନା ନାହିଁ। ଏଣୁ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ନେତାମାନେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ହୋଇ ବୈଠକ କରୁଛନ୍ତି। ସୁଯୋଗ ମିଳିଲେ ନବୀନଙ୍କ ଆଗରେ ଫେରାଦ ବି ହେଉଛନ୍ତି। ହେଲେ ନବୀନଙ୍କ ଆଭିମୁଖ୍ୟ ଠଉରାଇ ପାରୁ ନାହାନ୍ତି। କେବେ କେବେ ନବୀନ ସେମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି।

ରାଜା ଚକ୍ର ଗିରଫ ହେଲା ପରେ ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ପରୋକ୍ଷରେ ପାଣ୍ଡିଆନ୍‌ଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଅରୁଣ ସାହୁ ଖୋଲାଖୋଲି ଭାବେ ୫-ଟି ଯୋଗୁ ହାରିଲୁ ବୋଲି କହିଦେଲେ। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଦଳୀୟ ପରିଚାଳନା ନେଇ ପରୋକ୍ଷରେ ଅସନ୍ତୋଷ ଜାହିର କରିଥିଲେ। ନବୀନ ଓ ବିଜେଡିର ଭଲ ପାଇଁ କାର୍ପଟଦାର ନେତା ଧର୍ମପଦ ହେବାକୁ ଆହ୍ବାନ ଦେଇଥିଲେ। ଅଶୋକ କାହାରି ନାମ ନେଇ ନଥିଲେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ଇଙ୍ଗିତ କରିଥିଲେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଏଇଥିପାଇଁ ଯେ ବିଜେଡିର ପରାଜୟ ଓ ପରବର୍ତ୍ତୀ ଅବ୍ୟବସ୍ଥା ପାଇଁ ଏମାନଙ୍କୁ ମୁଖ୍ୟତଃ ସମସ୍ତେ ଦାୟୀ କରୁଛନ୍ତି। ଏହି ଦୁଇ ଜଣଙ୍କ ମାମଲ୍‌ତି ଥିବା ଯାଏଁ ବିଜେଡି ଉଧେଇବ ନାହିଁ ବୋଲି ଖୋଲାଖୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନ୍ ନବୀନ ନିବାସ ନ ଛାଡ଼ିବା ଯାଏଁ ଦଳରେ କିଛି ହେବାର ନାହିଁ ବୋଲି କହିବାକୁ ପଛାଉନାହାନ୍ତି।

Leave A Reply

Your email address will not be published.