ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ବିଦ୍ରୋହ, ଏକାଠି ହେଲେ ୧୧ ବିରୋଧୀ ଦଳ

କରାଚି,୨୨ /୧୦: ଇମ୍ରାନ୍‌ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଉପୁଜିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଇସ୍ତଫା ଦାବିରେ ଏବେ ସବୁ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି। ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରି ସେମାନେ ଏକ ବିଶାଳ ରୢାଲି କରିଛନ୍ତି। ନିକଟରେ ସେମାନେ ସେନା ବିରୋଧରେ ବି ମୁହଁ ଖୋଲିବା ସହ ଗତ ନିର୍ବାଚନକୁ ସେନାଦ୍ବାରା ପରିଚାଳିତ ଏକ ଅନୈତିକ ନିର୍ବାଚନ ବୋଲି କହିଛନ୍ତି। ତେବେ ପାକିସ୍ତାନରେ ଏବେ ଏକ ହାଇ ପ୍ରୋଫାଇଲ୍‌ ଅପହରଣ ଘଟଣାକୁ ନେଇ ଉଭୟ ସରକାର ଏବଂ ସେନା ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାକିସ୍ତାନରେ ସିନ୍ଧ୍‌ ପ୍ରଦେଶ ପୁଲିସ ମୁଖ୍ୟଙ୍କୁ ରେଂଜର୍‌ସଙ୍କ ଦ୍ବାରା ଅପହରଣ କରିନିଆଯାଇଛି ବୋଲି ଅଭିଯୋଗ ହୋଇଛି। ପାକ୍‌ ଅର୍ଦ୍ଧସାମରିକ ବଳ ସିନ୍ଧ୍‌ ପ୍ରଦେଶ ଆଇଜିପି ମୁସ୍ତାକ୍‌ ଅହମଦ ମହରଙ୍କ ବାସଭବନରେ ଚଢ଼ଉ କରିଥିଲା। ସେମାନେ ଆଇଜିପିଙ୍କୁ ଅପହରଣ କରିନେଇଥିଲେ ଏବଂ ବିରୋଧୀ ନେତା ସଫଦାର ଆୱାନ୍‌ , ମୁସ୍ତାଫା ନୱାଜ୍‌ ଖୋକରଙ୍କୁ ଗିରଫ କରିବାପାଇଁ ଏକ ନିର୍ଦ୍ଦେଶରେ ସ୍ବାକ୍ଷର କରିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ‌ହୋଇଛି। ତେବେ ସିନ୍ଧ୍‌ ପ୍ରଦେଶ ପୁଲିସ ଏହି ଘଟଣାକୁ ଜୋର୍‌ଦାର ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ସେମାନେ ଏହି ଘଟଣା ପାଇଁ ପାକ୍‌ ସେନା ବିରୋଧରେ ଖୋଲା ବିଦ୍ରୋହ କରିଛନ୍ତି। ସିନ୍ଧ୍‌ ପ୍ରଦେଶର ସମସ୍ତ ପୁଲିସ ଅଧିକାରୀ ସାମୂହିକ ଛୁଟି ଆବେଦନ କରିଛନ୍ତି।