ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ, ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର, ୨୭/୦୧ :  ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଶୁଣାଇଛନ୍ତି। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ। ଏଣିକି ଚାଲାଣ ଥିଲେ ମଧ୍ୟ ମିଳିବ PUCC ସାର୍ଟିଫିକେଟ।   ରାଜ୍ୟ ସରକାରଙ୍କ ଆବେଦନକୁ ହାଇକୋର୍ଟ କରିଛନ୍ତି।ଗୋଟିଏ ସପ୍ତାହ ପାରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ୨୦୨୫ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡି ମାଲିକଙ୍କ PUCC ନ ଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା। ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।  ମୋଟର ଯାନ ଆଇନ, ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଉଲଂଘନ କରି ଏହି ନିର୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଥିଲା। ଗାଡିର PUCC ପ୍ରମାଣପତ୍ର ନ ଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନ କରିବା ନିୟମ ସମ୍ପୂର୍ଣ୍ଣ ରୂପେ ଓଡ଼ିଶାର ପ୍ରତ୍ୟେକ ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ। ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା, ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ‘ବାହନ’ ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୋର୍ଟାଲରେ ଏପରି ବ୍ୟବସ୍ଥା କରାଯାଉ ଯେପରି ଜରିମାନା ବାକି ଥିଲେ ମଧ୍ୟ ସାର୍ଟିଫିକେଟ୍ ବାହାର କରିବାରେ କୌଣସି ବାଧା ଉପୁଜିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗାଡ଼ି ମାଲିକମାନେ ବଡ଼ ଧରଣର ଆଶ୍ୱସ୍ତି ପାଇଛନ୍ତି।