ଚାଷୀଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୨/୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ରେଳଧାରଣା ଉପରେ ପ୍ରତିବାଦ କରିଥଇବା ଚାଷୀମାନଙ୍କ ଉପରେ ଆରପିଏଫ ଦ୍ବାରା ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।

ଚନ୍ନି ଆରପିଏଫ ଚେୟାରମ୍ୟାନଙ୍କୁ ଚିଠି ଲେଖି ଯଥାଶୀଘ୍ର ମାମଲା ଫେରାଇ ନେବାକୁ କହିଛନ୍ତି। କୁହାଯାଉଛି କି କୃଷି ଆଇନ ପ୍ରତ୍ୟାହାର ଦାବିରେ ରେଳରୋକ କରିଥିବା ହେତୁ ଚାଷୀଙ୍କ ଉପରେ ଏହି ମାମଲା ରୁଜୁ ହୋଇଥିଲା।

କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କରୋନା ମହାମାରୀ ହେତୁ ମା’ ବାପାଙ୍କୁ ହରାଇଥିବା ଝିଅମାନଙ୍କ ପାଇଁ ଆର୍ଶୀବାଦ ସ୍କିମରୁ ଇନକମ ଲିମିଟ ବା ଆୟ ସୀମା ହଟାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ପଞ୍ଜାବରେ ୨୦୦୪ ଜାନୁଆରି ୧ ତାରିଖ ପରେ ସରକାରୀ ଚାକିରିରେ ଚୟନୀତ କର୍ମଚାରୀଙ୍କ ପାଇଁ ଫ୍ୟମିଲି ପେନସନ ସ୍କିମକୁ ବି ମଞ୍ଜୁରି ଦେଇ ଦେଇଛନ୍ତି। ଏହା ପୂର୍ବରୁ ଚନ୍ନି ମୁଖ୍ୟମନ୍ତ୍ରୀ ହେବାପରେ କୃଷକଙ୍କ ବିଜୁଳି ବିଲ ଛାଡ଼ କରିବାକୁ ଘୋଷଣା କରିଥିଲେ।