ଆଜି ପୁରୀ ଗସ୍ତ କରିବେ ରାଷ୍ଟ୍ରପତି, ପୁରୀ ସହର “ନୋ ଫ୍ଲାଇଙ୍ଗ ଜୋନ” ଘୋଷଣା

ଭୁବନେଶ୍ୱର, ୦୩/୦୧ : ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡ଼ିବା ଉପରେ କଟକଣା । ଆଜି ଅପରାହ୍ନ ୧୨ ଘଟିକାରୁ ଆସନ୍ତାକାଲି ଅପରାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପୁରୀ ସହର “ଡ୍ରୋନ ମୁକ୍ତ ଅଞ୍ଚଳ” ବା “ନୋ ଫ୍ଲାଇଙ୍ଗ ଜୋନ” ଘୋଷଣା କରାଯାଇଛି । ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବୃଆରୀ ୩ ଓ ୪ ତାରିଖ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ୩ ତାରିଖରେ ପହଞ୍ଚି ପୁରୀ ଲୋକ ଭବନରେ ରାତ୍ରି ଯାପନ କରିବେ ଓ ପରଦିନ ଶ୍ବେତଗଙ୍ଗାରେ ପିଣ୍ଡଦାନ କରି,ମହାପ୍ରଭୁଙ୍କ ଦର୍ଶନ କରି ଫେରି ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି । ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ “ବ୍ଲ୍ୟୁ ବୁକ୍” ଅନୁଯାୟୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ “ନୋ ଫ୍ଲାଇଙ୍ଗ ଜୋନ” ବା “ଡ୍ରୋନ ମୁକ୍ତ ଅଞ୍ଚଳ” ଘୋଷଣା କରିଛନ୍ତି । ଏସ ପି ଙ୍କ ସୁରକ୍ଷା ସମ୍ପର୍କିତ ପତ୍ର ଆଧାର ରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।ଭିଭିଆଇପିଙ୍କ ପାଇଁ ସୁରକ୍ଷା ନେଇ ୩ ଫେବୃଆରୀ ଦିବା ୧୨ ଘଟିକା ଠାରୁ ୪ ଫେବୃଆରୀ ଦିବା ୧୨ ଘଟିକା ଯାଏଁ ଡ୍ରୋନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି ।