ଆଜିଠୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ

ପୁରୀ,୨୯/୪ : ଶ୍ରୀମନ୍ଦିର ସିଂହଦ୍ଵାର ସହିତ ଆଜିଠାରୁ ଭକ୍ତମାନେ ପଶ୍ଚିମ ଦ୍ଵାର ଦେଇ ଜଗନ୍ନଥଙ୍କ ଦର୍ଶନ କରୁଛନ୍ତି । ଏହାସହ ଭକ୍ତମାନେ ଦର୍ଶନ ସାରି ମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ମନ୍ଦିର ବାହାରକୁ ଆସୁଛନ୍ତି। ଭକ୍ତମାନଙ୍କ ସୁବିଧା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପଶ୍ଚିମ ଦ୍ଵାରରେ ସ୍ଥାୟୀ ସେଡ୍ ନିର୍ମାଣ ସହିତ ଜୋତା ଷ୍ଟାଣ୍ଡ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଗକୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବଡ଼ଦାଣ୍ଡରେ ଥିବା ଅସ୍ଥାୟୀ ବ୍ୟାରିକେଡ଼କୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ମାନେ ସ୍ବାଗତ କରିଛନ୍ତି।

ପୂର୍ବରୁ କେବଳ ଶ୍ରୀମନ୍ଦିରର ସିଂହଦ୍ଵାର ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହା ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ଅନେକ ସମୟରେ‌ ମର୍ଚିକୋଟ ଛକ ପର୍ଯ୍ୟନ୍ତ ମଧ୍ୟ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗୁଥିଲା।ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିରାଶ ହେଉଥିଲେ। ସେହିପରି ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପାଇଁ ସେବାୟତ ଓ ଭକ୍ତମାନେ ବାରମ୍ବାର ଦାବି କରିଆସୁଥିଲେ। ତେବେ ଆଜିଠାରୁ ଭକ୍ତମାନେ ଦୁଇଟି ଦ୍ବାର ବାଟେ ଶ୍ରୀମନ୍ଦିରେ ପ୍ରବେଶ ସହ ଦୁଇଟି ଦ୍ବାର ବାଟେ ପ୍ରସ୍ଥାନ ବ୍ୟବସ୍ଥା ହୋଇଥିବାରୁ ଏହାକୁ ସ୍ବାଗତ ଭକ୍ତମାନେ ସ୍ୱାଗତ କରିଛନ୍ତି ।